Latest Odisha News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; କଂଗ୍ରେସ ନେତା ରଞ୍ଜିତ ରାଜଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାର ଡୁବୁରୀ ଛକରେ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ କଂଗ୍ରେସ ନେତା ରଞ୍ଜିତ ରାଜଙ୍କର ମୃତ୍ୟୁ ଘଟିଛି। ସେ ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ଉପାଧ୍ୟକ୍ଷ ଥିଲେ।

ସୂଚନା ଅନୁଯାୟୀ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାସ୍ତା ପାର ହେଉଥିବା ସମୟରେ ରାଜଙ୍କୁ ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ସେ ଗୁରୁତର ଆହତ ହୋଇଥିଲା ବେଳେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଥିଲା। ପରେ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ପ୍ରୟାସ ସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହାକୁ ନେଇ ସମର୍ଥକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ସମସ୍ତେ ଏକାଠି ଡୁବୁରୀ ଛକ ଏବଂ ଯାଜପୁର ରୋଡ୍ ସହିତ ପ୍ରମୁଖ ରାସ୍ତା ଅବରୋଧ କରିଥିଲେ।  ଡ୍ରାଇଭରଙ୍କୁ ଗିରଫ ଦାବି କରି ବିକ୍ଷୋଭକାରୀ ମାନେ କେନ୍ଦୁଝର, ଢେଙ୍କାନାଳ, ଚଣ୍ଡିଖୋଲ ଏବଂ ଯାଜପୁରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ, ଯାଜପୁରର ଡେପୁଟି କଲେକ୍ଟର ଏବଂ କଳିଙ୍ଗନଗର ପୋଲିସ ଷ୍ଟେସନର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଫେରାର ଡ୍ରାଇଭରଙ୍କୁ ଗିରଫ କରିବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଅଧିକାରୀ। ଯାହା ପରେ ରାସ୍ତା ଅବରୋଧ ହଟିଥିଲା ଏବଂ ଯାତାୟାତ ସ୍ଵାଭାବିକ ହୋଇଥିଲା।

ଅପରପକ୍ଷରେ ପୋଷ୍ଟମର୍ଟମ ପରେ କଂଗ୍ରେସ ନେତାଙ୍କ ପାର୍ଥିବ ଶରୀରକୁ ଯାଜପୁରର ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ଯେଉଁଠାରେ କର୍ମୀ ଏବଂ ସମର୍ଥକମାନେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ।

 

Leave A Reply

Your email address will not be published.