Latest Odisha News

୨୦୨୪ ପରେ ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ: ରସିଦ ଅଲଭି

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳର ଚାଲିଛି ଜୋରଦାର ପ୍ରସ୍ତୁତି। ବିଜେପିକୁ ଚ୍ୟାଲେଞ୍ଜ କରି ୨୬ ବିରୋଧୀ ଦଳ ‘ଇଣ୍ଡିଆ’ ନାମରେ ମେଣ୍ଟ କରି ସାରିଲେଣି। ଏବେ ପର୍ଯ୍ୟନ୍ତ ଏହି ମହାମେଣ୍ଟର ନେତାଙ୍କ ନାମ ବି ଘୋଷଣା କରାଯାଇ ନାହିଁ। ହେଲେ ଏହାରି ଭିତରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଅନେକ କଂଗ୍ରେସ ନେତା ନିଜର ମତ ରଖିଛନ୍ତି।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ୱରରେ ତାଳ ଦେଇଛନ୍ତି କଂଗ୍ରେସ ନେତା ରସିଦ ଅଲଭି। ବର୍ତ୍ତମାନ କଂଗ୍ରେସ ନେତା ରସିଦ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ବିଷୟରେ ଆଲୋଚନା କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି, ୨୦୨୪ପରେ ଆମେ ଆଶା କରୁଛୁ ଯେ କଂଗ୍ରେସ ଏକ ବୃହତ୍ତମ ଦଳ ଭାବରେ ଉଭା ହେବ ଏବଂ ରାହୁଲ ଗାନ୍ଧୀ ଆମର ପ୍ରଧାନମନ୍ତ୍ରୀ ହେବେ।

ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେଶ ବାଘେଲ ଶୁକ୍ରବାର ଦିନ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ଉଚିତ୍। ବିଜେପିକି ଏକଛତ୍ରବାଦୀ ଶାସନ କ୍ଷମତାରୁ ହଟାଇବା ହେଉଛି ଭାରତର ଉଦ୍ଦେଶ୍ୟ। ସୂଚନା ଥାଉକ ଚଳିତ ମାସ ଶେଷ ସୁଦ୍ଧା ମୁମ୍ବାଇରେ ବିରୋଧୀ ଦଳ ‘ଇଣ୍ଡିଆ’ର ବୈଠକ ଅନୁଷ୍ଠିତ ହେବ।

Comments are closed.