Latest Odisha News

୧୦ ବର୍ଷ କେନ୍ଦ୍ରରେ କ୍ଷମତାରେ ରହି ମଧ୍ୟ ବିଫଳ ହୋଇଛି ବିଜେପି :ସଚିନ ପାଇଲଟ

ବାଲେଶ୍ୱର: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଆଜି ବାଲେଶ୍ୱରରେ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି  । ଏହି ଅବସରରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ଓ ବିଜେପି ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଏବେ ପରସ୍ପର ବିରୋଧରେ କହୁଛନ୍ତି। ନିର୍ବାଚନ ପରେ ଏମାନେ  ଏକାଠି ହେବେ କହିଛନ୍ତି ସଚିନ ପାଇଲଟ୍ ।

ଓଡିଶାରେ ବିଜେପି ଓ ବିଜେଡି ଏକ ହୋଇଛନ୍ତି । ଦୁଇ ଦଳର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସ୍ବାର୍ଥ ଓ ବିକାଶ କାମ ବାଟବଣା ହେଉଛି ବୋଲି କହିଛନ୍ତି ସଚିନ ପାଇଲଟ । ୧୦ ବର୍ଷ ଧରି ପୂର୍ଣ୍ଣ ବହୁମତ ପାଇ କେନ୍ଦ୍ରରେ ବିଜେପି କ୍ଷମତାରେ ଅଛି । ତଥାପି ପୂର୍ବଭଳି ଦେଶରେ ସେମିତି କିଛି ଆଶାନୁରୂପ ବିକାଶ ହୋଇନି। ଦରଦାମ ବୃଦ୍ଧି, କଳାଧନ, ଭ୍ରଷ୍ଟାଚାର, ବେରୋଜଗାରୀ ଆଦି ସମସ୍ୟାକୁ ଦୂରେଇବାର ଦାବା କରିଥିଲା  ବିଜେପି  । କିନ୍ତୁ ୧୦ ବର୍ଷ କେନ୍ଦ୍ରରେ କ୍ଷମତାରେ ରହି ମଧ୍ୟ ବିଫଳ ହୋଇଛି । ଶନିବାର ବାଲେଶ୍ୱରର ମିଶନ ପଡ଼ିଆରେ ଅନୁଷ୍ଠିତ ଜନସଭାରେ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି ପାଇଲଟ ।

ସେ କହିଛନ୍ତି କେବଳ ନିର୍ବାଚନ ଆସିଲେ କେନ୍ଦ୍ର ନେତାଙ୍କର ଓଡିଶା କଥା ମନେ ପଡ଼େ । ଯଦିଓ ଓଡ଼ିଶାରେ କେବେବି ବିଜେପି ସରକାର ଗଢିନି, ତଥାପି ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ବୋଲି କୁହାଯାଏ  । ଏଠି ବିଜେପି- ବିଜେଡି ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି। ନିର୍ବାଚନ ବେଳେ ଉଭୟ ବିଜେପି ଓ ବିଜେଡି ନେତା ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ଗାଦିରେ ବସିଲା ପରେ ସେଇ ନେତାମାନେ ସାଧାରଣ ଜନତାର ଭୋଟ୍ର ସମ୍ମାନ ରଖିବା ଭୁଲିଯାଆନ୍ତି । ଓଡ଼ିଶାରୁ ଜିତି ଯେଉଁ ସାଂସଦ ଦିଲ୍ଲୀ ଯାଆନ୍ତି ତାଙ୍କୁ ସେଠି କେହି ପଚାରନ୍ତି ନାହିଁ । ଯଦି ଏଥର କଂଗ୍ରେସକୁ ଭୋଟ ଦେବେ ତାହେଲେ କଂଗ୍ରେସର ସାଂସଦ ଓ ବିଧାନସଭା ପ୍ରାର୍ଥୀ ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ରହି ଆପଣଙ୍କ ସେବା କରିବେ ।

କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଘରର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୧ ଲକ୍ଷ ଟଙ୍କା ଯିବ। ଏହା ବ୍ୟତୀତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ହାତକୁ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଗତ ୧୦ ବର୍ଷହେଲା ବାଲେଶ୍ୱରର ବିକାଶ ହେଉନାହିଁ। ତେଣୁ ଏଥର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା, ବାଲେଶ୍ୱର ସଦର ବିଧାୟିକା ପ୍ରାର୍ଥୀ ମୋନାଲିସା ସାମଲଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି ।

Leave A Reply

Your email address will not be published.