ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜନୈତିକ ବୟାନବାଜି ଥମୁନି । ଏହି ବୟାନବାଜି ଖାଲି ସୌମ୍ୟ-ବିଜେଡି ମଧ୍ୟରେ ସୀମିତ ହୋଇନାହିଁ । ସୌମ୍ୟଙ୍କ ନାଁ ନ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆଜି ଏକ ବୟାନ ଦେଇ କହିଛନ୍ତି, ବିଜେଡି ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଛି । କିଛି ଦିନ ଭିତରେ ଏହା ବିସ୍ଫୋରକ ରୂପ ନେବ । ଯଦିଓ ଏ ବିବାଦ ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଆମର କିଛି କହିବାର ଆବଶ୍ୟକତା ନାହିଁ ତେବେ ଗତ କିଛିଦିନର ଘଟଣାକ୍ରମ କହିବାକୁ ବାଧ୍ୟ କରୁଛି । ଏହି ଘଟଣାକ୍ରମରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ ଗଣତନ୍ତ୍ର ଲୋପ ପାଇଗଲାଣି । ଏଠାରେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ର ନାଁରେ ଗୁମାସ୍ତା ଶାସନ କରୁଛନ୍ତି ।
ବିଧାୟକ ମିଶ୍ର କହିଛନ୍ତି, ଲୋକେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ । ହେଲେ ଶାସନ ସେ କରୁନାହାନ୍ତି । ଏ ନେଇ ଲୋକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଲାଣି । ଏହାର ଜବାବ ଜନତା ଆଗାମୀ ନିର୍ବାଚନରେ ଦେବେ ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର ।
ସେତିକୁ ନୁହେଁ, କଂଗ୍ରେସ ବିଧାୟକ ଆଜି ବ୍ଲାକମେଲ ଶବ୍ଦକୁ ନେଇ ବିଜେଡିକୁ କଡା ସମାଲୋଚନା କରିଛନ୍ତି । ବିଜେଡି ନେତା, ବିଧାୟକ ବାରମ୍ବାର କହୁଛନ୍ତି ସୌମ୍ୟ ପଟ୍ଟନାୟକ ତାଙ୍କୁ ବ୍ଲାକ ମେଲ କରଛନ୍ତି ବୋଲି । ଏହାର ବ୍ୟାଖ୍ୟା କରି ସେ କହିଛନ୍ତି, ବ୍ଲକମେଲ ଶବ୍ଦ ସେଇଠି ବ୍ୟବହାର କରାଯାଏ ଯେଉଁଠି ଜଣେ ଭୁଲ କରିଥାଏ ଏବଂ ଅନ୍ୟଜଣେ ଏହାର ପ୍ରଘଟ କରିଦେବ ବୋଲି ଧମକ ଦେଉଥାଏ ।
ସୌମ୍ୟ ଦଳରେ ରହି ବ୍ଲାକମେଲ କରୁଛନ୍ତି ବୋଲି କହି ବିଜେଡି ନେତା, ବିଧାୟକ ସୌମ୍ୟଙ୍କୁ ସମାଲୋଚନା କରିଥିଲେ । ସେତେବେଳେ ବି ବ୍ଲାକମେଲ ଶବ୍ଦକୁ ନେଇ ବର୍ଷିଥିଲେ ସୌମ୍ୟ ପଟ୍ଟନାୟକ । ବିଜେଡି ନେତାଙ୍କ ପାଖରେ ଆଉ ଶବ୍ଦ ନାହିଁ ବୋଲି କହି କଡା ସମାଲେଚାନା କରିଥିଲେ । ଆଜି ଏହି ବ୍ଲାକମେଲ ଶବ୍ଦକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବର୍ଷିଛନ୍ତି ।
ବ୍ଲାକମେଲ ଶବ୍ଦକୁ ନେଇ ନିରଞ୍ଜନ ମିଶ୍ର କହିଛନ୍ତି, ବିଜେଡି ନେତାମାନେ ବ୍ଲାକମେଲ ଶବ୍ଦର ଅର୍ଥ ଜାଣି ନାହାନ୍ତି । ବିଜେଡି ନେତା ଓ ବିଧାୟକ ଏହାର ଅର୍ଥ ଡିକ୍ସନାରୀରୁ ଦେଖି ବୁଝନ୍ତୁ ତା ପରେ ବ୍ୟବହାର କରନ୍ତୁ ବୋଲି କହିଥିଲେ । ଯଦି ଏହାର ଅର୍ଥ ଜାଣିଥାନ୍ତି ତେବେ ସେମାନେ ସ୍ୱୀକାର କରିଛନ୍ତି ସେମାନଙ୍କର ଦୋଷତ୍ରୁଟି ରହିଛି । ଆଉ ଏହି ଦୋଷ ତ୍ରୁଟିକୁ ସୌମ୍ୟ ପଟ୍ଟନାୟକ ଜାଣିଛନ୍ତି ।
ତେଣୁ ସରକାରୀ ଦଳ ନେତା, ବିଧାୟକମାନେ ଏହି ଶବ୍ଦକୁ ବାରମ୍ବାର କହି ଏକଥା ସ୍ୱୀକାର କରୁଛନ୍ତି ଯେ ସେମାନଙ୍କର ଦୋଷ ଦୁର୍ବଳତା ରହିଛି ।
ଅନ୍ୟପକ୍ଷେ ଏହାର ଜବାବ ଦେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଛନ୍ତି, ସୌମ୍ୟ ପଟ୍ଟନାୟକଙ୍କୁ ପଦରୁ ବାହାର କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସର୍ବୋଚ୍ଚ ନେତା । ତାଙ୍କର ନିଷ୍ପତ୍ତି ଦଳର ସବୁ ନେତା ଓ କର୍ମୀଙ୍କ ପାଇଁ ଆଦେଶ । ସେଥିରେ କାହାରି କିଛି କହିବାର ନାହିଁ । ତା ଛଡା ଏସବୁ ବିଜେଡି ଆଭ୍ୟନ୍ତରୀଣ କଥାରେ ନରସିଂହ ମିଶ୍ର ମୁଣ୍ଡ ନଖେଲାଇ ନିଜ ଦଳର ଶୃଙ୍ଖଳା କଥା ବୁଝନ୍ତୁ ବୋଲି ରଣେନ୍ଦ୍ର କହିଛନ୍ତି ।
Comments are closed.