ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆ ଭିତରେ ପାଳନ କରିଥିଲେ ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାତ୍ର ୧୦ ମିନିଟ୍ ମଧ୍ୟରେ ଏହାକୁ ସମାପନ କରି ଚାଲିଯାଇଥିଲେ । ପ୍ରଶାସନିକ ଅଧିକାରୀମାନେ ପ୍ରଦର୍ଶନୀ ପଡ଼ିଆ ଭିତରକୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଛାଡ଼ି ନ ଥିଲେ । ଦେଶର ସ୍ୱାଧୀନତା ଦିବସ ପର୍ବ ପାଳିତ ହେଉଥିଲାବେଳେ ଜନସାଧାରଣଙ୍କୁ ଏହି ପର୍ବରେ ସାମିଲ କରିବା ପରିବର୍ତ୍ତେ ତାଙ୍କୁ ଦୁରେଇ ରଖିବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଏହା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ପ୍ୟାରେଡେ଼ର ଅଭିବାଦନ ଗ୍ରହଣ କରିନାହାନ୍ତି । ସ୍କୁଲ ପିଲାମାନେ, ଏନ୍.ସି.ସି., ସ୍କାଉଡ଼୍ ଓ କଲେଜ ପିଲାମାନେ ପରେଡ଼ରେ ଅଂଶ ଗ୍ରହଣ କରିନାହାନ୍ତି । ଆଜକୁ ୧୫ ବର୍ଷ ଧରି ସାମ୍ବାଦିକ ପାଇଁ ଉର୍ଦ୍ଦିଷ୍ଟ ଏକ୍ରେଡ଼ିସନ କମିଟି କାର୍ଯ୍ୟ କରୁନାହିଁ କାହିଁକି? ଯେଉଁ ସାମ୍ବାଦିକମାନେ ସରକାର ବିରୋଧରେ ସାମାନ୍ୟତମ ଲେଖାଟିଏ ଲେଖିଲେ ବା ପଦୁଟିଏ କହିଲେ ତାଙ୍କୁ ଘର ଛାଡ଼ିବା ନୋଟିସ୍ ଠାରୁ ଆରମ୍ଭ କରି ଜେଲ ପଠାଇବା ପର୍ଯ୍ୟନ୍ତ ଧମକ ଦିଆଯାଉଛି । ଏହା ସରକାରଙ୍କର ସତ୍ୟ ଓ ନ୍ୟାୟ ପ୍ରତି କେତେ ନିଷ୍ଠା ରହିଛି ଏଥିରୁ ବୁଝାପଡ଼ୁଛି । ସାମ୍ବାଦିକମାନଙ୍କୁ କାହିଁକି ବିଧାନସଭା ଲବି ଭିତରକୁ, ସଚୀବାଳୟକୁ, କୃଷି ଭବନକୁ ଛଡ଼ାଯାଉନାହିଁ ।
ପ୍ରଦେଶ କଂଗ୍ରେସର ଅନ୍ୟତମ ମୁଖପାତ୍ର ରଞ୍ଜନ ମହାନ୍ତି କହିଥିଲେ ଯେ, ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଜାଣିବାର ଅଧିକାର ଅଛି । ଯଦି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିକୋଣରୁ ପରେଡ଼ରେ ଅଭିବାଦନ ଗ୍ରହଣ କରିପାରୁନାହାନ୍ତି ତାହା କାହିଁକି ଲୁଚେଇ ରଖାଯାଉଛି । ଗଣମାଧ୍ୟମକୁ ସଭାସ୍ଥଳକୁ ନ ଛାଡ଼ିବା ଯୋଗୁଁ ପ୍ରକୃତ ତଥ୍ୟ ରାଜ୍ୟବାସୀ ଜାଣିପାରୁନାହାନ୍ତି । ଏଭଳି ନିଷ୍ପତି କାହିଁକି ଓ କାହାର ସ୍ୱାର୍ଥ ସାଧନ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ନେଉଛନ୍ତି । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯଦି ପ୍ୟାରେଡ଼୍ ହେବ ନାହିଁ, ଗଣମାଧ୍ୟମର ପ୍ରତିନିଧି ସାମିଲ ହେବେ ନାହିଁ, ତାହାଲେ ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମ କାହିଁକି ପାଳନ କରାଯାଉଛି । ଏହା କ’ଣ ନାମକୁ ମାତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି ।
Comments are closed.