କେନ୍ଦ୍ରାପଡ଼ା: ବାରମ୍ବାର ବିଦ୍ୟୁତ କାଟ ଓ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ଦାୟିତ୍ୱହୀନ ବୟାନକୁ ନେଇ କଂଗ୍ରେସ କର୍ମୀମାନେ ବୁଧବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗର ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି କଂଗ୍ରେସ କହିଛି। ଅନ୍ୟପଟେ ଏହି ପ୍ରସଙ୍ଗକୁ ଆହୁରି ବ୍ୟାପକ କରିବାକୁ ଯାଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି କଂଗ୍ରେସ କହିଛି।
ପ୍ରଥମେ କଂଗ୍ରେସ କର୍ମୀମାନେ ଆଳି ବିଦ୍ୟୁତ ବିଭାଗକୁ ଘେରିବା ପାଇଁ ଯୋଜନା କରିଥିଲେ ମଧ୍ୟ କାର୍ଯ୍ୟାଳୟ ଗେଟରେ ତାଲା ଝୁଲୁଥଲା ଏହା ଦେଖି ସେମାନେ ଅଣ୍ଡା ଓ ଟମାଟୋ ଫିଙ୍ଗିଥିଲେ। ଶେଷରେ କର୍ମୀମାନେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିବା ସହ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଜିଲ୍ଲା କଂଗ୍ରେସର ପ୍ରମୁଖ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି, ଯେହେତୁ ଆମେ ବିଦ୍ୟୁତ୍ କାର୍ଯ୍ୟାଳୟର ଗେଟ୍ ବନ୍ଦ ଥିବା ଦେଖିବାକୁ ପାଇଲୁ, ତେଣୁ ରାସ୍ତା ଅବରୋଧ କରିବା ବ୍ୟତୀତ ଆମର ଅନ୍ୟ କିଛି ଉପାୟ ନଥିଲା। ଆମର ମୂଳ ଯୋଜନା ଥିଲା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରିବା। ବାରମ୍ବାର ବିଜୁଳି କାଟ ହେଉଥିବାରୁ ଲୋକେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ଦାବି କରୁଛୁ।
ଦେବେନ୍ଦ୍ର ଶର୍ମା ଆହୁରି କହିଛନ୍ତି ଯେ, ଟାଟା ପାଓ୍ୱାର ଦ୍ୱାରା ନୂଆ ମିଟର ଲଗାଯିବା ଫଳରେ ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଉଛି। କେତେକ ବାସିନ୍ଦାଙ୍କ ମାସିକ ବିଲ୍ ୨୦୦ ଟଙ୍କା ପରିବର୍ତ୍ତେ ୨୦୦୦ ଟଙ୍କା ବିଲ୍ ଆସୁଛି। ହଠାତ୍ ଏହି ଦେୟ ବୃଦ୍ଧି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି।
ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଆସନ୍ତା ୨୭ ତାରିଖରେ ରାଜ୍ୟବ୍ୟାପୀ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।
Comments are closed.