Latest Odisha News

BREAKING NEWS

ସିଏଜି ରିପୋର୍ଟରେ ୭ଟି ପ୍ରକଳ୍ପରେ ଅନିୟମିତତା, ପ୍ରଧାନମନ୍ତ୍ରୀ କାହିଁକି ନିରବ ପ୍ରଶ୍ନ କଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରୁ ଅଭିଭାଷଣ ଦେଇ ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିବାର ଦିନକ ଦିନ ପରେ କଂଗ୍ରେସ ବୁଧବାର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛି । ଯେଉଁ ରିପୋର୍ଟରେ ବିଭିନ୍ନ ଅନିୟମିତତା କଥା ଉଲ୍ଲେଖ ରହିଛି।

କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟ୍ ସିଏ ଉଦାହରଣ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସିଏଜି ସରକାରୀ ପ୍ରକଳ୍ପଗୁଡିକର ଖର୍ଚ୍ଚ ବୃଦ୍ଧି ଏବଂ ଜନସାଧାରଣଙ୍କ ଅର୍ଥର ଅପଚୟ ବିଷୟରେ ଦର୍ଶାଇଛନ୍ତି। ମୁଁ ଅନୁଭବ କରୁଛି ଏହି ଦୁର୍ନୀତିଗୁଡ଼ିକର ତଦନ୍ତ ହେବା ଉଚିତ ଏବଂ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ହେବା ଉଚିତ। ଆମେ ଅନୁଭବ କରୁଛୁ ଯେ ଏହି ଘୋଟାଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ଭାବେ ଦାୟୀ ଏବଂ ତାଙ୍କର ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ ହେବା ଉଚିତ ବୋଲି ଶ୍ରୀମତୀ ଶ୍ରୀନେଟ୍ କହିଛନ୍ତି। ଭାରତମାଳା ପ୍ରକଳ୍ପ, ଜାତୀୟ ରାଜପଥ ନିର୍ମାଣ ପାଇଁ ତିଆରି ହୋଇଥିବା ପ୍ରକଳ୍ପରେ କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ଖର୍ଚ୍ଚ ବୃଦ୍ଧି, ଟେଣ୍ଡର ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଏବଂ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ କରାଯାଇ ନାହିଁ।

ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଥିବା ଦ୍ୱାରକା ଏକ୍ସପ୍ରେସ୍ ଓ୍ୱେର ନିର୍ମାଣ ଖର୍ଚ୍ଚ କିଲୋମିଟର ପିଛା ୧୮ କୋଟି ଟଙ୍କାରୁ ୨୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସେ କହିଛନ୍ତି ଯେ ପାଞ୍ଚଟି ଟୋଲ୍ ପ୍ଲାଜାର ଅନିୟମିତ ଅଡିଟ୍ ପରେ ସିଏଜି ଜାଣିବାକୁ ପାଇଥିଲେ ଯେ ସଂଶୋଧିତ ଶୁଳ୍କ ଲାଗୁ ନହେବା କାରଣରୁ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ରାସ୍ତା ବ୍ୟବହାରକାରୀଙ୍କ ଠାରୁ ୧୩୨ କୋଟି ଟଙ୍କା ଆଦାୟ କରିଛି। ସେ କହିଛନ୍ତି, ଏହି ସମୟରେ ମାତ୍ର ପାଞ୍ଚଟି ଟୋଲ୍ ପ୍ଲାଜାର ଅଡିଟ୍ ହୋଇଥିଲା। ଭାବନ୍ତୁ ଯଦି ଏହି ଦେଶର ପ୍ରତ୍ୟେକ ଟୋଲ୍ ପ୍ଲାଜାର ଅଡିଟ୍ କରାଯାଏ, ତେବେ ଏହି ଘୋଟାଲାର ମୂଲ୍ୟ କ’ଣ ହେବ ବୋଲି ସୁପ୍ରିୟା ପ୍ରଶ୍ନ କରିଛନ୍ତି।

ସେହିପରି ଆୟୁଷ୍ମାନ ଭାରତର ଫ୍ଲାଗସିପ୍ ଯୋଜନାର ଅଡିଟ୍ ସମ୍ପର୍କରେ ଉଲ୍ଲେଖ କରିଥିଲେ, ଏହି ଯୋଜନାର ୭.୫ ଲକ୍ଷ ହିତାଧିକାରୀଙ୍କୁ ଗୋଟିଏ ମୋବାଇଲ୍ ଫୋନ୍ ନମ୍ବରରେ ପଞ୍ଜିକୃତ କରିବା ସହ ୮୮ ଜଣଙ୍କ ନାମରେ ନୂଆ ଚିକିତ୍ସା ପାଇଁ ବୀମା ଦାବି ଦାଖଲ କରାଯାଇଛି।

ତ୍ରୁଟିପୂର୍ଣ୍ଣ ଇଞ୍ଜିନ୍ ଡିଜାଇନ୍ ଉପରେ ସିଏଜି ରିପୋର୍ଟକୁ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡକୁ ୧୫୯ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା, ଅଯୋଧ୍ୟା ବିକାଶ ପ୍ରକଳ୍ପରେ ଅନିୟମିତତା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଅଧୀନରେ ଥିବା ପେନସନ ପାଣ୍ଠିର ହେରଫେର କରି ସ୍ୱଚ୍ଛ ଭାରତ ମିଶନ ପାଇଁ ହୋର୍ଡିଂ ଲଗାଇବା କଥା କଂଗ୍ରେସ ନେତ୍ରୀ ଉଲ୍ଲେଖ କରିଛନ୍ତି।

ଗୋଟିଏ ନୁହେଁ, ଦୁଇଟି ନୁହେଁ, ୭ଟି ସିଏଜି ଘୋଟାଲାର ପର୍ଦ୍ଦାଫାସ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଚୁପ୍ ବସିଛନ୍ତି ବୋଲି ଶ୍ରୀମତୀ ସୁପ୍ରିୟା କହିଛନ୍ତି।

Comments are closed.