Latest Odisha News

BREAKING NEWS

ବୁଧବାର ଅନୁଗୁଳ ସହର ବନ୍ଦ ଡାକରା ଦେଲା ନଗର କଂଗ୍ରେସ

ଅନୁଗୁଳ: ଆସନ୍ତା ୨୨ ତାରିଖ ବୁଧବାର ଦିନ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଗୁଳ ସହର ବନ୍ଦ ଡାକରା ଦେଇଛି ଅନୁଗୁଳ ନଗର କଂଗ୍ରେସ । ନଗର କଂଗ୍ରେସ ଦେଇଥିବା ସୁଚନା ଅନୁଯାୟୀ, ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି । ଆଉ ଜିଲ୍ଲାରେ କରୋନା ବ୍ୟାପିବାରେ ଜିଲ୍ଲାର ଶିଳ୍ପସଂସ୍ଥା ଗୁଡିକ ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏଣୁ କରୋନା ବ୍ୟାପିବାରେ ପ୍ରତିବନ୍ଧକ ଲଗାଇବା ପାଇଁ ଜିଲ୍ଲାର ଶିଳ୍ପସଂସ୍ଥା ଗୁଡିକ ଉପରେ କଟକଣା ଲଗାଇବା ସହ ଶିଳ୍ପସଂସ୍ଥାର ଗାଡି ଏବଂ କର୍ମଚାରୀ ମାନଙ୍କ ସହର ଏବଂ ଆଖପାଖ ଅଞ୍ଚଳ ଗୁଡିକୁ ଯିବା ଆସିବାରେ ରୋକ ଲଗାଇବା ପାଇଁ କଂଗ୍ରେସ ପକ୍ଷରୁ ଅନେକ ଥର ଜିଲ୍ଲାପାଳଙ୍କୁ ଜଣାଇ ଅନୁରୋଧ କରି ଆସିଥିଲେ । ଯେଉଁଥିରେ ମୁଖ୍ୟ ଦାବି ଥିଲା ଅନୁଗୁଳ ସହରରେ ଶିଳ୍ପ ସଂସ୍ଥା ମାନଙ୍କ ବସ ଚଳାଚଳ ବନ୍ଦ, ଶିଳ୍ପ ସଂସ୍ଥା ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା, ଶିଳ୍ପ ସଂସ୍ଥା ପକ୍ଷରୁ ଅନୁଗୁଳ ସହର ସାନିଟାଇଜ କରିବା ଏବଂ ଶନିବାର ରବିବାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିବା ଆଦି ମୁଖ୍ୟ ଦାବି ଥିଲା ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଚେତାବନୀ ପତ୍ର ମଧ୍ୟ ଦିଆଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ମଧ୍ୟ ଦିଆଯାଇଥିଲା ।କିନ୍ତୁ କୌଣସି ସୁଫଳ ନ ମିଳିବାରୁ କଂଗ୍ରେସ ପକ୍ଷରୁ ବୁଧବାର ଦିନ ଅନୁଗୁଳ ସହର ବନ୍ଦ ଡାକରା ଦିଆଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ନଗର କଂଗ୍ରେସ ସଭାପତି ସୁଦୀପ୍ତ ମିଶ୍ର ସୂଚନା ଦେଇଛନ୍ତି ।

ଏହି ବନ୍ଦ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ପନିପରିବା, ଫଳ, କ୍ଷୀର ଓ ରାସନ ଦୋକାନ ଆଦି ଜରୁରୀ ସେବା ଚାଲୁ ରହିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.