Latest Odisha News

କଂଗ୍ରେସର ନିର୍ବାଚନୀ ଇସ୍ତାହାର; ମହିଳାଙ୍କୁ ମିଳିବ ମାସିକ ଦୁଇ ହଜାର ଟଙ୍କା, ବଢିବ ଭତ୍ତା

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ଦିନ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କଂଗ୍ରେସର ୪୦ ପୃଷ୍ଠାର ଇସ୍ତାହାରରେ ବିଭିନ୍ନ ଘୋଷଣା କରାଯାଇଛି।

ଏଥିରେ ଲୋକଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ଏବଂ ମହିଳାମାନଙ୍କୁ ପ୍ରତି ମାସରେ ଦୁଇ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦିଆଯାଇଛି। ଏହା ବ୍ୟତୀତ କୃଷକମାନଙ୍କୁ ସତଲେଜ-ଯମୁନା ଲିଙ୍କ କେନାଲରୁ ଜଳ ଯୋଗାଇ ଦେବାକୁ ମଧ୍ଯ ପ୍ରତିଶୃତି ଦିଆଯାଇଛି।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ୪୦ ପୃଷ୍ଠାର ଇସ୍ତାହାର ପ୍ରକାଶ ପାଇଛି।

ଇନ୍ଦିରା ଲଡଲି ବେହନ ସମ୍ମାନ୍ ଯୋଜନା ଅଧୀନରେ କଂଗ୍ରେସ ୧୮ ବର୍ଷରୁ ୬୦ ବର୍ଷ ମଧ୍ୟରେ ମହିଳାମାନଙ୍କୁ ମାସକୁ ଦୁଇ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଛି। ଏହା ବ୍ୟତୀତ ପୁରୁଣା ଭତ୍ତା ଯୋଜନାରେ ମଧ୍ୟ ପରିବର୍ତ୍ତନ କରିବା ସହ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାମାନଙ୍କୁ ବୁଢାପା ଯୋଜନା, ଦିବ୍ୟାଙ୍ଗ ଏବଂ ବିଧବା ଭତ୍ତା ମାଧ୍ୟମରେ ମାସକୁ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି।

୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତି ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା ବେଳେ ସହରରେ ମେଟ୍ରୋ, ରେଳ ଲାଇନ ଏବଂ ଇକୋ-ଫ୍ରେଣ୍ଡଲି ପରିବେଶ ସୃଷ୍ଟି ପାଇଁ ହରିୟାଣା କଂଗ୍ରେସ କାର୍ଯ୍ୟ କରିବ। ସେହିପରି ପୂର୍ବାଞ୍ଚଳ ଲୋକଙ୍କ ପାଇଁ ଛଟ ଘାଟ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଛି।

ଏହା ବ୍ୟତୀତ ସିଲିଣ୍ଡର ପିଛା ୫୦୦ ଟଙ୍କା, ଗୁଣାତ୍ମକ ଶିକ୍ଷା, ଯୁବକମାନଙ୍କୁ ରୋଜଗାର, କୃଷୀ, କ୍ରୀଡା କ୍ଷେତ୍ରରେ ମଧ୍ୟ ଜନ କଲ୍ୟାଣକାରୀ ଯୋଜନା ଆଣିବାକୁ କଂଗ୍ରେସ ଘୋଷଣା କରିଛି। ଚାଷୀଙ୍କ ଉନ୍ନତି ପାଇଁ ଦଳ କୃଷକ ଆୟୋଗ ଗଠନ ଏବଂ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ଗ୍ୟାରେଣ୍ଟି ଦେଇଛି।

Leave A Reply

Your email address will not be published.