ପୁରୀ: ପୁରୀ ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ । ଅଭିନବ ଢଙ୍ଗରେ ସତ୍ୟାଗ୍ରହ କରିଛନ୍ତି କଂଗ୍ରେସ କର୍ମୀ । ଶହ ଶହ କର୍ମୀ ଏହି ସତ୍ୟାଗ୍ରହରେ ସାମିଲ ହେବା ସହ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟବ୍ୟାପି ଚାଲିଥିବା ଏହି ସତ୍ୟାଗ୍ରହରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା ସହ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଳଙ୍କାରର ଗଣତି ଓ ମଣତି କରିବା ଦାବି କରିଛନ୍ତି । ଏଥି ସହିତ ରତ୍ନଭଣ୍ଡାର ମରାମତି ଦାବି କରିଛି କଂଗ୍ରେସ ।
ଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସଂପତ୍ତି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ବେଦାନ୍ତ ଅଧିଗୃହୀତ ଜମି ପ୍ରଜା ମାନଙ୍କ ନାମରେ ରେକର୍ଡ କରିବା ଆଦି ଦାବି କରିଛି କଂଗ୍ରେସ । ଏସବୁ ପ୍ରମୁଖ ଦାବି ନେଇ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି । ସତ୍ୟାଗ୍ରହରେ କଂଗ୍ରେସ କର୍ମୀମାନେ ନାରଦ ଆଦି ବିଭିନ୍ନ ଭୁମିକାରେ ବେଶ ଧାରଣ କରି ସଂକିର୍ତ୍ତନ କରିଛନ୍ତି । କିଭଳି ଏହି ଦାବି ସରକାରଙ୍କ ନିକଟରେ ପହଞ୍ଚିବ ସେନେଇ ଅଭିନବ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ ।
ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦଳପକ୍ଷରୁ କହୁଯାଇଛି । ଅନ୍ୟପଟେ ଗତକିଛି ଦିନ ପୂର୍ବେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ଧାରଣା ଦିଆଯାଇଥିଲା । ତେବେ ଏହି ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।
ଏହି ସତ୍ୟାଗ୍ରହରେ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ, ବିନାୟକ ଦାସମହାପାତ୍ର, ପୁରୀ ଜିଲ୍ଲା ସଭାପତି ଜୟକୃଷ୍ଣ ପଟ୍ଟନାୟକ ଆଦି ବହୁ ନେତା ଉପସ୍ଥିତ ଥିଲେ ।
Comments are closed.