Latest Odisha News

କୋର୍ଟଙ୍କ ରାୟ ପରେ କଂଗ୍ରେସ କହିଲା, ସମଲିଙ୍ଗୀ ବିବାହ ସମାନତା ଓ ନ୍ୟାୟର ବିଷୟ

ନୂଆଦିଲ୍ଲୀ: କଂଗ୍ରେସ ଦଳ ମଙ୍ଗଳବାର କହିଛି ଯେ, ସମଲିଙ୍ଗୀ ବିବାହକୁ ସମର୍ଥନ କରୁଛି ଏବଂ ନ୍ୟାୟିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଭେଦଭାବମୁକ୍ତ ପ୍ରକ୍ରିୟାରେ ବିଶ୍ୱାସ କରେ। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ ମନା କରିବା ପରେ ଏହା ସଂସଦ ଉପରେ ଛାଡିଦେଇଛନ୍ତି।

ଟ୍ୱିଟରରେ ଏକ ପୋଷ୍ଟ କରି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ସୁପ୍ରିମ୍ କୋର୍ଟ ଦେଇଥିବା ବିଭିନ୍ନ ରାୟ ଉପରେ ଦଳ ଅଧ୍ୟୟନ କରୁଛି ଏବଂ ପରବର୍ତ୍ତୀ ସମୟରେ ଏହାର ବିସ୍ତୃତ ଜବାବ ଦିଆଯିବ।

କଂଗ୍ରେସ ସବୁବେଳେ ଆମ ନାଗରିକମାନଙ୍କ ସ୍ୱାଧୀନତାର ସୁରକ୍ଷା ପାଇଁ ସେମାନଙ୍କ ସହ ଛିଡ଼ା ହୋଇଛି। ଯାହା ଲୋକଙ୍କ ସ୍ୱାଧୀନତା ଓ ଅଧିକାର। ଜୟରାମ ରମେଶ କହିଛନ୍ତି, “ଏକ ଦଳ ଭାବେ ଆମେ ନ୍ୟାୟିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଭେଦଭାବ ନକରିବା ଉପରେ ଦୃଢ଼ ବିଶ୍ୱାସ କରୁଛୁ”।

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ମାମଲାରେ ରାୟ ପ୍ରକାଶ କରି କହିଛନ୍ତି, ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ସମଲିଙ୍ଗୀ ବିବାହକୁ ଅନୁମତି ସଂସଦ ଅଧିକାର ଅଧୀନରେ ରହିଛି ।  ଏଥିପାଇଁ ଆଇନର ପରିବର୍ତ୍ତନ କରିବା ଆବଶ୍ୟକ । ହେଲେ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରଭୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Comments are closed.