ନୂଆଦିଲ୍ଲୀ: ବେଙ୍ଗାଲୁରୁର କଞ୍ଜ୍ୟୁମର କୋର୍ଟ ଏକ ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜୋରିମାନା କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଫି ’ଜମା କରିବାର ୪୫ ଦିନ ମଧ୍ୟରେ କନ୍ୟା ଖୋଜି ବିବାହ କରେଇବାର ପ୍ରତିଶ୍ରୁତି ଦେଇ ମଧ୍ଯ ଏହା ପୂରଣ କରାଯାଇ ନଥିଲା। କିନ୍ତୁ ସେମାନେ ଫିସରେ ଗୋଟିଏ ଦିନର ବିଳମ୍ବକୁ ମଧ୍ୟ ସହ୍ୟ କରିନଥିଲେ।
ବେଙ୍ଗାଲୁରୁର ଏମଏସ ନଗରର ବାସିନ୍ଦା ବିଜୟ କୁମାର କେ.ଏସ୍ ତାଙ୍କ ପୁଅ ବାଲାଜୀଙ୍କ ପାଇଁ କନ୍ୟା ଖୋଜିବାକୁ କଲ୍ୟାଣ ନଗରରେ ଥିବା ଦିଲମିଲ ମାଟ୍ରିମୋନି ପୋର୍ଟାଲ ସହିତ ଯୋଗାଯୋଗ କରିଥିଲେ। ମାର୍ଚ୍ଚ ୧୭ରେ ବିଜୟ କୁମାର ତାଙ୍କ ପୁଅର ଆବଶ୍ୟକୀୟ ଦସ୍ତାବିଜ ଏବଂ ଫଟୋ ସହିତ ବିବାହ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ତେବେ କନ୍ୟା ଖୋଜିବା ପାଇଁ ମାଟ୍ରିମୋନି ତାଙ୍କୁ ୩୦,୦୦୦ଟଙ୍କା ମାଗିଥିଲେ ଏବଂ ୪୫ ଦିନ ମଧ୍ୟରେ କନ୍ୟା ଖୋଜିଦେବା ନେଇ ପ୍ରତିଶ୍ରୁତି ମଧ୍ଯ ଦେଇଥିଲେ।
ତେବେ ନିର୍ଦ୍ଧାରିତ ସମୟ ମଧ୍ଯରେ ମାଟ୍ରିମୋନି ସାଇଟରେ କନ୍ୟା ନ ମିଳିବାରୁ ଏପ୍ରିଲ ୩୦ରେ ବିଜୟ କୁମାର କାର୍ଯ୍ୟାଳୟକୁ ଯାଇ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ। କିନ୍ତୁ କର୍ମଚାରୀମାନେ ତାଙ୍କ ସହ ଅସଦାଚରଣ କରିବା ସହ ଅଶାଳୀନ ଭାଷା କହି ସେମାନଙ୍କୁ ତଡି ଦେଇଥିଲେ।
ଏହା ପରେ ୯ ମେ ରେ ପୀଡିତ ବିଜୟ କୁମାର କେ.ଏସ୍ କୋର୍ଟର ଦ୍ବାରସ୍ଥ ହେବା ସହ ଦିଲମିଲ ମାଟ୍ରିମୋନିକୁ ଏକ ଆଇନଗତ ନୋଟିସ୍ ପଠାଇଥିଲେ କିନ୍ତୁ ଦିଲମିଲ ଏହାର ଉତ୍ତର ଦେଇନଥିଲେ।
ଯାହାପରେ ଫି ବାବଦକୁ ନେଇଥିବା ୩୦,୦୦୦ ଟଙ୍କା, ଖରାପ ସେବା ୨୦,୦୦୦ ଟଙ୍କା, ମାନସିକ ଯନ୍ତ୍ରଣା ପାଇଁ ୫୦୦୦ ଟଙ୍କା ଏବଂ ମୋକଦ୍ଦମା ପାଇଁ ୫୦୦୦ ଟଙ୍କା ଫେରସ୍ତ କରିବାକୁ କୋର୍ଟ ଉକ୍ତ ମାଟ୍ରିମୋନି ପୋର୍ଟାଲକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.