Latest Odisha News

BREAKING NEWS

ରେଭେନ୍ସା ଫିଲ୍ମ ଫେଷ୍ଟିଭାଲ ବାତିଲକୁ ନେଇ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରେଭେନ୍ସା ଫିଲ୍ମ ଫେଷ୍ଟିଭାଲକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯିବାକୁ ନେଇ ଗୁରୁବାର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ଏକ ତିନି ଦିନିଆ ଚଳଚ୍ଚିତ୍ର ଉତ୍ସବ ଆରମ୍ଭ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି କାର୍ଯ୍ୟକ୍ରମକୁ ବିନା କୌଣସି ସୂଚନା ନଦେଇ ହଠାତ ବନ୍ଦ କରିଦେଇଥିଲେ।

ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କେଉଁ ଆଧାରରେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ତାହା ସ୍ପଷ୍ଟ କରିବାକୁ ମଧ୍ୟ ଦାବି କରିଛନ୍ତି। ଚଳଚ୍ଚିତ୍ର ମହୋତ୍ସବର ପ୍ରଥମ ଦିନରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ଶ୍ରେଷ୍ଠ ‘ପଥର ପାଞ୍ଚାଲି’ ପ୍ରଦର୍ଶିତ ହେବାର ଥିଲା।

ସେ କହିଛନ୍ତି, ମାର୍ଚ୍ଚ ୨ରୁ ୪ ତାରିଖ ଯାଏ ଫିଲ୍ମ ଫେଷ୍ଟିଭାଲ୍ ହେବାର ଥିଲା। ସାଂସ୍କୃତିକ ପରିଷଦ ଅଧିନରେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରଶାସନିକ ବିଭାଗ ପକ୍ଷରୁ ସମ୍ମତି ପ୍ରଦାନ କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ସତ୍ୟଜିତ ରାୟଙ୍କ ‘ପଥର ପାଞ୍ଚଲି’ ପ୍ରଦର୍ଶିତ ହେବାର ଥିଲା। କିନ୍ତୁ, ପୂର୍ବାହ୍ନ ୧୦ଟାରେ ଆମକୁ କୌଣସି ସୂଚନା ନଦେଇ ସଭାସ୍ଥଳ ଖାଲି କରିବାକୁ କୁହାୟାଇଥିଲା ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ଶୁଭ ନାୟକ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ଫିଲ୍ମର ସ୍କ୍ରିନିଂ ହୋଇନି ବୋଲି ଏବିଭିପି କହିଥିଲା। ତେଣୁ ଆପତ୍ତି ଉଠିବା ପରେ ବିବାଦକୁ ଏଡାଇବା ପାଇଁ ଫିଲ୍ମ ଫେଷ୍ଟିଭାଲକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ୨୦୨୩ ଫେବୃୟାରୀ ୨୭ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଫିଲ୍ମ ଫେଷ୍ଟିଭାଲ ସମ୍ପର୍କିତ ଏକ ନୋଟିସ୍ ମଧ୍ୟ ପ୍ରକାଶ ପାଇଥିଲା।

 

Comments are closed.