Latest Odisha News

କନକସନ ନିୟମକୁ ନେଇ ପ୍ରଶ୍ନ ଉଠାଇଲେ ଇଂଲଣ୍ଡର ପୂର୍ବତନ ଖେଳାଳି

ନୂଆଦିଲ୍ଲୀ: ୪ର୍ଥ ଟି୨୦ରେ ବିଜୟ ହାସଲ କରି ଭାରତ ୩-୧ରେ ଅଗ୍ରଣୀ ରହି ଇଂଲଣ୍ଡ ବିପକ୍ଷରେ ଆଗୁଆ ସିରିଜ ଜିତି ନେଇଛି । ଫେବୃୟାରୀ ୨ରେ ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ ଖେଳାଯିବ । ତେବେ ୪ର୍ଥ ଟି୨୦ରେ କନକଶନ ନିୟମକୁ ନେଇ ବିବାଦ ସୃଷ୍ଟି ହୋଇଛି । ଇଂଲଣ୍ଡର ପୂର୍ବତନ କ୍ରିକେଟର ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ଶିବମ ଦୁବେଙ୍କ ସ୍ଥାନରେ ଟିମ ଇଣ୍ଡିଆ ମ୍ୟାଚ ଅଫିସିଆଲଙ୍କ ଅନୁମତି ପରେ ହର୍ଷିତ ରାଣାଙ୍କୁ ସାମିଲ କରିଥିଲା । ହର୍ଷିତ ୩ଟି ୱିକେଟ ନେଇ ମ୍ୟାଚକୁ ଭାରତ ସପକ୍ଷକୁ ଆଣି ଦେଇଥିଲେ । ଦୁବେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା । ସେଥିପାଇଁ ଟିମ ଇଣ୍ଡିଆକୁ କନକଶନ ସବଷ୍ଟିଚ୍ୟୁଟ ନେବାର ସୁଯୋଗ ମିଳିଥିଲା । ଅବଶ୍ୟ ଏହା ଲାଇକ ଟୁ ଲାଇକ ବଦଳ ଖେଳାଳି ହେବା ଉଚିତ । ଦୁବେ ଜଣେ ପାର୍ଟଟାଇମ ବୋଲର ହୋଇଥିବା ବେଳେ ତାଙ୍କ ବିକଳ୍ପ କିପରି ହର୍ଷିତ ହେଲେ ବୋଲି ଇଂଲଣ୍ଡ ଖେଳାଳିମାନେ ପ୍ରଶ୍ନ ଉଠାଇଛନ୍ତି ।

କଣ କହୁଛି ଆଇସିସି ନିୟମ: ଆଇସିସି ନିୟମ ୧.୨.୭.୩ ଅନୁସାରେ ମ୍ୟାଚ ରେଫରି କନକଶନ ବଦଳ ଖେଳାଳି ଅନୁରୋଧକୁ ଭଲ ଭାବେ ବିଚାର କରିବେ । ବଦଳ ଖେଳାଳି ଯେପରି ଆବେଦନକାରୀ ଟିମକୁ ଉଦ୍ଦେଶ୍ୟମୂଳକ ଭାବେ ଫାଇଦା ନ ଦିଏ ତାହା ମଧ୍ୟ ଦେଖିବାକୁ ପଡିବ । ନିୟମ ୧.୨.୭.୭ ଅନୁସାରେ ମ୍ୟାଚ ରେଫରୀଙ୍କ ନିଷ୍ପତି ଚୂଡାନ୍ତ । କୌଣସି ଟିମ ଏ ନେଇ ଆବେଦନ କରିପାରିବେ ନାହିଁ । ଏହା ପୂର୍ବରୁ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ଭାରତ ୟୁଜଭେନ୍ଦ୍ର ଚହଲଙ୍କୁ ସାମିଲ କରିଥିଲା । ସେ ୩ଟି ୱିକେଟ ନେଇ ଭାରତକୁ ଜିତାଇବ ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.