Latest Odisha News

BREAKING NEWS

ଭିଜିଲାନ୍ସ କେସ ରଫାଦଫା କରିବାକୁ ପୋଲିସ ମାଗୁଛି ଲାଞ୍ଚ, ଅଡିଓ ଭାଇରାଲ

ଭୁବନେଶ୍ୱର: ପୋଲିସ ମାଗୁଛି ଲାଞ୍ଚ। ଭିଜିଲାନ୍ସ କେସ ରଫାଦଫା କରିବାକୁ ମହିଳା ପୋଲିସ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହୋଇଛି। ଭିଜିଲାନ୍ସ ଜାଲରେ ଫସିଥିବା ଜଣେ ଅଭିଯୁକ୍ତଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟର ଜଣେ ମହିଳା କନେଷ୍ଟବଳ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏହାପରେ ଉଭୟ ଭିଜିଲାନ୍ସ ଓ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଭିଯୁକ୍ତର ମାମଲା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ଅଧିନରେ ରହିଛି। ଆଉ କାର୍ଯ୍ୟରତ ମହିଳା କନେଷ୍ଟବଳ ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା ଡିଲ୍ ର ଅଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଅଡିଓରେ ମହିଳା ପୋଲିସ ଲାଞ୍ଚ ମାଗିବା ସହ ମାମଲା ରଫାଦଫା କରିବା ପାଇଁ ଅଭିଯୁକ୍ତଙ୍କ ସହ ଡିଲ୍ କରୁଥିବା ଶୁଣିବାକୁ ମିଳିଛି। ସେ ଉପରିସ୍ଥ ଅଧିକାରୀଙ୍କ ତରଫରୁ ଲାଞ୍ଚ ମାଗୁଥିବା ମଧ୍ୟ ଶୁଣିବାକୁ ମିଳୁଛି।

ଏହି ଘଟଣା ପରେ ସମ୍ପୃକ୍ତ ଲେଡି କନେଷ୍ଟବଳଙ୍କୁ ବାଲେଶ୍ୱରକୁ ବଦଳି କରାଯାଇଛି। ତେବେ ଏ ନେଇ ମହିଳା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ଏ ନେଇ ଭିଜିଲାନ୍ସ ଏସପି ନରହରି ନାୟକଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହିଛନ୍ତି। ସେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ତାଙ୍କ ପାଖରେ ଏଯାଏଁ କୌଣସି ସୂଚନା ନାହିଁ।

ଏଭଳି ଘଟଣାକୁ ନେଇ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ଯଦି ଏହା ସତ ହୁଏ ତେବେ ଘଟଣାର ସଠିକ୍ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ଭିଜିଲାନ୍ସ ଅଫିସର ଦେବଦତ୍ତ ବିଶ୍ୱାଳ କହିଛନ୍ତି।

Comments are closed.