Latest Odisha News

BREAKING NEWS

ଲୁଚି ଲୁଚି ଅନ୍ୟ ଦେଶରେ ପୋଲିସ ଥାନା ବସାଉଛି ଚୀନ; ଏହିସବୁ ଦେଶରେ କରୁଛି ଗୁଇନ୍ଦାଗିରି

ବେଜିଂ: ସାରା ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିବା ଲାଗି ଚୀନର ନୂଆ କସରତ । ବିଶ୍ୱର ୫୩ଟି ଦେଶରେ ଚୀନ ଖୋଲିଛି ୧୦୨ଟି ପୋଲିସ ଷ୍ଟେଶନ । ସେପ୍ଟେମ୍ବର ୨୦୨୨ରେ ସ୍ପେନର ନାଗରିକ ଅଧିକାର ସମୂହ ଏକ ରିପୋର୍ଟରେ ଖୁଲାସା କରିଥିଲେ ଯେ ଚୀନ ଏକାଧିକ ଦେଶରେ ଓଭରସିଜ ପୋଲିସ ଷ୍ଟେଶନର ସ୍ଥାପନା କରିଛି । ଏବେ ଏହି ରିପୋର୍ଟର ସତ୍ୟତା ସାମ୍ନାକୁ ଆସିଛି । ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟକୁ ଆଧାର କରି ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛି ଯେ ୨୦୨୨ର ଏହି ତଥ୍ୟର ସତ୍ୟତା ରହିଛି ।

ଏହି ରିପୋର୍ଟ ଅନୁସାରେ, ପୋଲିସର ଏହି ନେଟୱର୍କ ଚୀନ ସ୍ଥିତ ସାର୍ବଜନିକ ସୁରକ୍ଷା ବ୍ୟୁରୋ (ପିଏସବି) ଦ୍ୱାରା ୨୦୧୬ରେ ସ୍ଥାପିତ କରାଯାଇଛି । ଭିନ୍ନ ଭିନ୍ନ ଦେଶରେ ଚୀନ ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ଚୀନ ଏପରିି ପୋଲିସ ଷ୍ଟେଶନ ସ୍ଥାପନ କରିଛି । ଏହା ବ୍ୟତୀତ ଚୀନରୁ ଯାଇ ଅନ୍ୟ ଦେଶରେ ରହୁଥିବା ଲୋକଙ୍କୁ ନିଜ ଦେଶକୁ ପଠାଇବା ପାଇଁ ଚାପ ପକାଇବା ମଧ୍ୟ ଏହି ପୋଲିସ ଷ୍ଟେଶନର ଲକ୍ଷ୍ୟ । ରାଜନୈତିକ ବିରୋଧୀ ଏବଂ ଚୀନ ଉପରେ କ୍ଷୁବ୍ଧ ତିବ୍ଦତୀୟ, ଉଇଗର ଏବଂ ଅନ୍ୟ ଚୀନ ବିରୋଧୀଙ୍କ ସ୍ୱରକୁ ଦୁର୍ବଳ କରିବା କାମ ମଧ୍ୟ ଏହି ପୋଲିସ ଷ୍ଟେଶନ ଜରିଆରେ କରାଯାଉଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପୋଲିସ ଷ୍ଟେଶନ ପାଇଁ କୌଣସି ଅଫିସ ନାହିଁ । ତଥାପି ନିଜ କାମ କରାଇ ନେଉଛନ୍ତି ଚୀନ ପୋଲିସ । ରିପୋର୍ଟ ଅନୁସାରେ, ଏହି ପୋଲିସ ଟିମରେ ପୋଲିସ ଅଧିକାରୀ ଏବଂ ଦୂତାବାସର ପୁରୁଣା ଅଧିକାରୀଙ୍କୁ ସାମିଲ କରାଯାଇଛି । ସେମାନେ ଦୂତାବାସରୁ ଅଲଗା ହୋଇ କାମ କରୁଛନ୍ତି । ଏମାନଙ୍କର କୌଣସି ଅଫିସ ନାହିଁ । ଏମାନେ ସ୍ଥାନୀୟ ଦୋକାନ, ରେଷ୍ଟୁରାଣ୍ଟ, ମଲ କିମ୍ବା ଆପାର୍ଟମେଣ୍ଟ ତଥା ଅନୌପଚାରିକ ସ୍ଥାନରେ ନିଜ କାମ କରାଇ ନେଉଛନ୍ତି ।

ପ୍ରଥମେ କୌଣସି ଦେଶରେ କେନ୍ଦ୍ର ସ୍ତରୀୟ ଏକ ଷ୍ଟେଶନ ସ୍ଥାପନ କରନ୍ତି । ପରେ ଆଖପାଖ ସହରରେ ଛୋଟ ଛୋଟ ଷ୍ଟେଶନ ସ୍ଥାପିତ କରିଥାନ୍ତି । ଏହାକୁ ଚୀନ ସର୍ବିସ ଷ୍ଟେଶନ ଏବଂ ସମ୍ପର୍କ ପୋଷ୍ଟ ନାମ ଦେଇଛି । ଏହାର ନେତୃତ୍ୱ ବିଦେଶୀ ଚୀନ ସମୁଦାୟର ଜଣେ ନେତା ଯିଏ କି ଚୀନ କମ୍ୟୁନିଷ୍ଟ ପାର୍ଟିର ଅତି ବିଶ୍ୱସ୍ତ  ତାଙ୍କ ଦ୍ୱାରା କରାଯାଇଥାଏ ।
ବିଶେଷକରି ଦକ୍ଷିଣ ଆମେରିକା, ମ୍ୟାମାଁର, କାମ୍ବୋଡିଆ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ, ମୋଜାମ୍ବିକ, ଜାମ୍ବିଆ, ସର୍ବିଆ, କ୍ରୋଏସିଆ, ରୋମାନିଆ ଏବଂ ଇଟାଲିପରି ଦେଶରେ ଚୀନ ତାର ପୋଲିସ ଷ୍ଟେଶନ ସ୍ଥାପନ କରିଛି । ଆମେରିକା କଂଗ୍ରେସର କାର୍ଯ୍ୟକାରୀ କମିଶନ କହିଛନ୍ତି, ଏହା ଦ୍ୱାରା ଚୀନ ଭିନ୍ନ ଭିନ୍ନ ଦେଶରେ ଗୁଇନ୍ଦାଗିରି କରୁଛି । ଏହା ପ୍ରତ୍ୟେକ ରାଷ୍ଟ୍ର ପାଇଁ ବିପଜ୍ଜନକ ଅଟେ।

Leave A Reply

Your email address will not be published.