ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ କରୋନା ସମ୍ପର୍କୀତ ସମସ୍ତ ବିଷୟ ଆଲୋଚନା ହେବାର ଅବ୍ୟବିହିତ ପୂର୍ବରୁ ରାଜ୍ୟପାଳ ଡଃ ଗଣେଶୀ ଲାଲ ମହାମାରୀ ରୋଗ ଆଇନ ୧୮୯୭ର ସଂଶୋଧିତ ଅଧ୍ୟାଦେଶକୁ ମଂଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି ।
ନୂଆ ସଂଶୋଧିତ ମହାମାରୀ ରୋଗ (ସଂଶୋଧିତ) ଅଧ୍ୟାଦେଶ ୨୦୨୦ରେ ପୁରୁଣା ଆଇନର ଧାରା ଦୁଇର ଉପଧାରା ଦୁଇରେ ଏକ ସଂଶୋଧନ ଯୋଡା ଯାଇଛି । ଏହା ଅନୁଯାୟୀ, ମହାମାରୀ ରୋଗ ନିବାରଣ ଓ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସାମଗ୍ରୀ, ସେବା ଓ ଉପକରଣ କ୍ରୟ ଉପରେ ଏହି ସଂଶୋଧନ ଲାଗୁ ହେବ ।
ଏହି ଆଇନର କେହି ଉଲ୍ଲଂଘନ କଲେ ସେମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟରେ ଦଣ୍ଡିତ କରାଯାଇପାରିବ ବୋଲି ଏଥିରେ ଉଲ୍ଲେଖ ରହିଛି ।