Latest Odisha News

କ’ଣ କହୁଛି ମାଳିକା; କରୋନା ନୁହେଁତ ବିନାଶର ସତର୍କଘଣ୍ଟି !

ଭୁବନେଶ୍ୱର: ଆର୍ଯ୍ୟଭୂମି ଭାରତବର୍ଷ ସାଧୁ-ସନ୍ଥ ଓ ସାଧକଙ୍କର ଦେଶ । ଏହି ଦେବଭୂମିରେ ସନାତନ ଧର୍ମର ସୃଷ୍ଟି ଏବଂ ଏହି ସନାତନ ଧର୍ମରୁ ଅନେକ ଧର୍ମ, ଗୋଷ୍ଠୀ ଓ ସମ୍ପ୍ରଦାୟର ସୃଷ୍ଟି । କେବଳ ୫ ଶହ ବର୍ଷ ପୂର୍ବରୁ ମାଳିକାରେ ବର୍ଣ୍ଣିତ ଭବିଷ୍ୟତବାଣୀ ଯେ ଉପଲବ୍ଧ ତାହାନୁହେଁ, ଭଗବାନ ଶ୍ରୀକୃଷ୍ଣ ନିଜେ ଭାଗବତ ଓ ଗୀତାରେ ସ୍ୱୟଂ ଭବିଷ୍ୟତର କଥା କହିଛନ୍ତି । କଳିଯୁଗରେ କିପରି ଭଗବାନ କଳକୀ ଅବତାରରେ ମ୍ଳେଚ୍ଛ ସଂହାର କରିବେ ତାହା ମଧ୍ୟ ମାଳିକାରେ ବର୍ଣ୍ଣିତ ରହିଛି ।

ପ୍ରକୃତରେ କଳିଯୁଗର ଆଚାର ବିଚାର ଚାଲିଚଳନ ଓ ରୀତିନୀତି ସମ୍ପର୍କରେ ମାଳିକାରେ ଯାହା ବି ବର୍ଣ୍ଣିତ ହୋଇଛି ତାହା ଏବେ ବିଚାର କରିବାର ସମୟ । ମହର୍ଷି ବ୍ୟାସଦେବ ସଂସ୍କୃତ ଭାଗବତରେ କଳିଯୁଗର ସାଧାରଣ ଧର୍ମ ବିଷୟରେ ନାନା କଥା ଉଲ୍ଲେଖ କରିଛନ୍ତି । ଯେତେବେଳେ ଘୋର କଳିକାଳ ଆସିଯିବ, ସେବେ ଧର୍ମ, ସତ୍ୟ, ପବିତ୍ରତା, କ୍ଷମା, ଦୟା, ଆୟୁ, ବଳ ଏବଂ ସ୍ମରଣ ଶକ୍ତି ଲୋପ ପାଇ ଚାଲିବ । କଳିଯୁଗରେ ଧନୀକ ସମ୍ପନ୍ନ ବ୍ୟକ୍ତି କୁଳୀନ ଓ ସଦାଚାରୀ ବୋଲି କଥିତ ହେବେ । ରତିକୌଶଳ ଏହି ଯୁଗରେ ସ୍ତ୍ରୀ ଓ ପୁରୁଷଙ୍କର ଶ୍ରେଷ୍ଠ ମାନଦଣ୍ଡ ହେବ ।

ତେବେ ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦ ଦାସଙ୍କ ମାଳିକାରେ ଯାହା ବର୍ଣ୍ଣିତ ହୋଇଛି ତାହା ଏବେ ଅକ୍ଷରେ ଅକ୍ଷରେ ଘଟିଚାଲିଛି । ମାଳିକାକୁ ବିଶ୍ଳେଷଣ କଲେ ଜଣାପଡ଼ିବ ଯେ, କରୋନା ପରି ଅନେକ ବ୍ୟାଧି ଯାହାକି ପୂର୍ବରୁ ଆସିନାହିଁ ତାହା ବିଶ୍ୱବାସୀ ଅଙ୍ଗେ ନିଭାଇବେ । ଅଜଣା ବ୍ୟାଧି ଦ୍ୱାରା ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇପଡ଼ିବେ । ମହାପ୍ରଳୟ ଆଡ଼କୁ ପୃଥିବୀ ମୁହାଁଇବ । ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକାରେ ଉଲ୍ଲେଖ କରି କହିଛନ୍ତି ଯେ,

“ବଳଦ ସମ ପ୍ରାୟ ହୋଇ,
ମୁହେଁ ବାନ୍ଧିବେ ତୁଣ୍ଡି ସେହି
ଭୈରବ ଆସି ଦେବ ଡାକ,
ଗୃହେ ଲୁଚିବେ ସବୁଲୋକ ।”

ବଳଦ ସମ ତୁଣ୍ଡି ଅର୍ଥାତ୍ ମାସ୍କ । ଭୈରବ ଅର୍ଥାତ୍ ଭାଇରସ୍ । ତେଣୁ ଆଜି ବାସ୍ତବରେ ଦେଖିବାକୁ ଗଲେ ତାହା ସତ୍ୟ ହୋଇଛି । ଏବେ ତୁଣ୍ଡି ପରି ଭାଇରସ୍ ଭୟରେ ବିଶ୍ୱର କୋଟି କୋଟି ଲୋକ ମାସ୍କ ପିନ୍ଧି ରହୁଛନ୍ତି । ଏବେ ଲକଡ଼ାଉନ ଯୋଗୁଁ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।

ସେହିପରି ଶିଶୁ ଅନନ୍ତ ମାଳିକାରେ ଉଲ୍ଲେଖ ରହିଛି ଯେ,

“ଆଦୌ ବୈଦ୍ୟଠାରେ ପ୍ରକାଶ ହୋଇବ,
ପରେ ଅନ୍ୟ ହେବେ ନାଶ,
ବୈଦ୍ୟ ନାଶ ଯେବେ ନୋହିବେ ବାରଙ୍ଗ
ଆଉ କେ ହୋଇବେ ଧ୍ୱଂସ ।”

ଯଦି କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତି ସ୍ଥଳ ଚୀନ କଥା ପର୍ଯ୍ୟାଲୋଚନା କରିବା ତେବେ ଦେଖିବା ଯେ, ଚୀନରେ ଏହି ଭୂତାଣୁକୁ ଚିହ୍ନଟ କରିଥିବା ଡାକ୍ତର ପ୍ରଥମେ ମୃତ୍ୟୁ ବରଣ କରିଥିଲେ । ଡାକ୍ତର ମଧ୍ୟ ଏହି ଭୂତାଣୁ ବା ରୋଗକୁ ଚିହ୍ନଟ କରିପାରିବେ ନାହିଁ । ଏଥିଲାଗି ନା ପୂର୍ବରୁ କୌଣସି ଔଷଧ ଥିଲା ନା ଏହାର ଉପଶମର ବାଟ ବୈଦ୍ୟଙ୍କୁ ଜଣା ।

ମାଳିକାରେ ଉଲ୍ଲେଖ ରହିଛି ଯେ, ସତ୍ୟ, ଧର୍ମ ଓ ନ୍ୟାୟକୁ ପାଥେୟ କରି ଯେଉଁ ସାଧୁମାନେ ଭଗବାନଙ୍କୁ ଭଜି ଭଜି ଚାଲୁଛନ୍ତି ସେମାନେ ତିଷ୍ଠିଯିବେ ତରି ଯିବେ । ମାଳିକା ସହିତ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ମାହାତ୍ମ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ କଳକୀ ଅବତାର ଲୀଳା ବିତାନ ଓତଃପ୍ରୋତ ଭାବେ ଜଡ଼ିତ ।

ସ୍ୱୟଂ ଶ୍ରୀଜଗନ୍ନାଥ ହିଁ କଳକୀ ଅବତାର ଗ୍ରହଣ କରି ମ୍ଳେଚ୍ଛ ସଂହାର ପୂର୍ବକ ସତ୍ୟ ପ୍ରତିଷ୍ଠା କରିବେ ।

ତେବେ ଯାହାବି ହେଉ ସମାଜ ସଂସ୍କାର ପାଇଁ ମାଳିକାର ଦାନ ପ୍ରକୃତରେ ଅତୁଳନୀୟ ।

ପଥଭ୍ରଷ୍ଟ ସମାଜକୁ ସୁସଂସ୍କୁତ କରିବା ଏବଂ ନିପୀଡ଼ିତ ମାନବକୁ ସଠିକ୍ ରାସ୍ତା ଦେଖାଇଥାଏ ମାଳିକା ।

Leave A Reply

Your email address will not be published.