Latest Odisha News

ଅମଲାତନ୍ତ୍ରର କଳଙ୍କିତ ଅଫିସର

ନୂଆଦିଲ୍ଲୀ: ଜଣେ ଟ୍ରେନି ଆଇଏଏସ ଅଫିସରଙ୍କ ନଖରାମୀ ଓ ସାହେବୀ ଆଦବ କାଇଦା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୂଜା ଖେଡକାରଙ୍କ ନଖରାମୀ ଯୋଗୁଁ ତାଙ୍କ ଚାକିରି ଯିବା ଅବସ୍ଥାରେ ରହିଛି । ଏମିତି ତ ଅମଲାତନ୍ତ୍ରକୁ ପ୍ରତି ଭାରତରେ ରହିଛି ନକାରାତ୍ମକ ଧାରଣା । ପୂଜା ଖେଡକାରଙ୍କ ପରି ଯଦି ଜଣେ ଟ୍ରେନି ଆଇଏଏସଙ୍କ ସାହେବୀ କାଇଦା ପ୍ରଦର୍ଶନ କରନ୍ତି, ତାହା ହେଲେ ଭାରତୀୟ ବ୍ୟୁରୋକ୍ରାସି ପ୍ରତି ନକାରାତ୍ମକ ଧାରଣା ଆହୁରି ଦୃଢୀଭୂତ ହେବା ସ୍ୱାଭାବିକ ।

ଭାରତରେ ଏମିତି କିଛି ଆଇଏଏସ ଅଫିସର ଅଛନ୍ତି, ଯାହାଙ୍କ ଲାଗି ସାରା ବ୍ୟୁରୋକ୍ରାସି ବଦନାମ ହେଉଛି । ଲୋକସେବା ବଦଳରେ ସେମାନେ ସ୍ୱାର୍ଥପର ହୋଇ ନିଜ ପଦ ପଦବୀ ଓ କ୍ଷମତାର ଦୁରୂପଯୋଗ କରନ୍ତି । କିଛି ଧରାପଡନ୍ତି ତ ଆଉ କିଛି ରାଜନୈତିକ ବସ୍ ଙ୍କ ପୃଷ୍ଠପୋଷକତା ଉପଭୋଗ କରନ୍ତି।

୨୦୨୩ରେ ଦିଲ୍ଲୀରେ ଅବସ୍ଥାପିତ ଦୁଇ ଆଇଏଏସ ଦମ୍ପତ୍ତି କ୍ଷମତାର ଦୁରୂପଯୋଗ କରି ଗୋଟିଏ ଷ୍ଟାଡିୟମ ଖାଲି କରିଦେଇଥିଲେ । କୁକୁରଙ୍କୁ ଚଲାବୁଲା କରାଇବା ପାଇଁ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମକୁ ସେମାନେ ଖାଲି କରାଇଥିଲେ । ଆଇଏଏସ ରିଙ୍କୁ ଡୁଗ୍‌ଗା ଓ ତାଙ୍କ ଆଇଏଏସ ସ୍ୱାମୀ ସଂଜୀବ ଖିରୱାରଙ୍କ ଡଗ୍ ୱାକିଂ ଖବର ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଖରାପ ଟ୍ରାକ୍ ରେକର୍ଡ ଯୋଗୁଁ ରିଙ୍କୁଙ୍କୁ ଦିଆଯାଇଥିଲା ବାଧ୍ୟତାମୂଳକ ଅବସର । ସ୍ୱାମୀ ସଂଜୀବଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା ।

୨୦୦୦ ବ୍ୟାଚ୍ ଝାଡଖଣ୍ଡ କ୍ୟାଡରର ଆଇଏଏସସ ପୂଜା ସିଂଘଲ ମନରେଗା ପାଣ୍ଠି ଆତ୍ମସାତ ଓ ମନି ଲଡ୍ରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିଲେ । ଗ୍ରାମୀଣ ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠି ମଧ୍ୟ ପୂଜା ସିଂଘଲ ହଡପ କରିଥିବା ଅଭିଯୋଗ ହୋଇଥିଲା।

୨୦୧୧ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ କେ. ରାଜେଶଙ୍କୁ ଲାଂଚ ମାମଲାରେ ଗିରଫ କରିଥିଲା ସିବିଆଇ । ସୁରେନ୍ଦ୍ରନଗର ଜିଲ୍ଲାପାଳ ଥିବା ବେଳେ ରାଜେଶ ବନ୍ଧୁକ ଲାଇସେନ୍ସ ପାଇଁ ଲାଂଚ ନେଉଥିବା ଅଭିଯେଗ ହୋଇଥିଲା । ଏଥିସହ ସେ ବିଭିନ୍ନ ଜାଲ୍ ଜମି କାରବାରରେ ମଧ୍ୟ ସଂପୃକ୍ତ ଥିଲେ।

ସମୀର ବିଷ୍ଣୋଇ । ୨୦୦୯ ବ୍ୟାଚ୍ ଛତିଶଗଡ କ୍ୟାଡର ଆଇଏଏସ ଅଫିସରଙ୍କୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ମାଇନିଂ ଅପରେସନ ପାଇଁ ସେ କୋଟି କୋଟି ଟଙ୍କା ଲାଂଚ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା।

ଆଉ ଜଣେ ଦୁର୍ନୀତିଗ୍ରସ୍ତ ଆଇଏଏସ ଅଧିକାରୀ ହେଉଛନ୍ତି ନୀରା ଯାଦବ । ଉତ୍ତର ପ୍ରଦେଶ କ୍ୟାଡରର ଏହି ଆଇଏଏସ ବ୍ୟାପକ ଜମି ଦୁର୍ନୀତିରେ ସଂପୃକ୍ତ ଥିଲେ । ମୋଟା ଅଙ୍କର ଲାଂଚ ନେଇ ଉତ୍ତର ପ୍ରଦେଶ ଓ ଏନସିଆରର ସୌଖିନ ଅଂଚଳରେ ନେତା ଓ ବ୍ୟବସାୟୀଙ୍କୁ ଜମି ଦେଉଥିଲେ ନୀରା ଯାଦବ । କିଛି ରାଜନେତାଙ୍କ ସହ ଭଲ ସଂପର୍କ ରଖିଥିଲେ ମଧ୍ୟ ଦୁର୍ନୀତି ଓ ଆୟ ବର୍ହିଭୂତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ନୀରା ଯାଦବ । ଦୁଇ ବର୍ଷ ଜେଲ୍ ଦଣ୍ଡ ଭୋଗିଥିଲେ ନୀରା ।

Comments are closed.