କଟକ: ଅବହେଳା..ଖାମଖିଆଲିର.. ବଡ଼ ଉଦାହରଣ। ଯେଉଁଥିରେ ଦୁଇ ଜଣଙ୍କ ମୃତଦେହକୁ ଅଦଳବଦଳ କରି କୋରିଅର ସେବା ମାଧ୍ୟମରେ ଭୁଲ ପରିବାରକୁ ପଠାଯାଇଛି। କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ କୁଆଁସଳା ଗାଁର ଏକ ପରିବାର ନିଜ ପୁଅ ଭାବି ରାଜସ୍ଥାନର ଜଣଙ୍କ ମର ଶରୀରର ରୀତିନୀତି ଅନୁଯାୟୀ ଶବଦାହ କରିଥିଲେ। ପରେ ସ୍ଥାନୀୟ ଥାନା ଆସି ଯେଉଁ ଖବର ଦେଲା ତାହା ଶୋକର ସାଗରରେ ବୁଡିଥିବା ପରିବାରକୁ ଆହୁରି ଦୁଃଖ ଦେଇଛି।
ଦୀର୍ଘ ଦିନ ଧରି ମୁମ୍ବାଇର ଏକ ଘରୋଇ ମୋଟର ଶୋ’ରୁମରେ କାମ କରୁଥିବା ବିଲାଶ ଭୂୟାଁଙ୍କର ଗତ ଦୁଇ ସପ୍ତାହ ତଳେ ହଠାତ୍ ଦେହାନ୍ତ ହୋଇଥିଲା। ତାଙ୍କ ମରଶରୀର କୁଆଁସଳାସ୍ଥିତ ପରିବାରକୁ ମୁମ୍ବାଇରୁ କୋରିଅର ସେବା ମାଧ୍ୟମରେ ପଠାଯାଇଥିବା ବେଳେ ସୋମବାର ସନ୍ଧ୍ୟାରେ ପରିବାର ଲୋକେ ଶବ ସତ୍କାର କରିଛନ୍ତି।
ତେବେ ସେମାନେ ଯେଉଁ ଶବ ସତ୍କାର କରିଛନ୍ତି ତାହା ବିଲାଶଙ୍କ ଶବ ନୁହେଁ, ବରଂ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ଶବ ବୋଲି ନେମାଳ ପୁଲିସ ସେମାନଙ୍କୁ ଜଣାଇଥିଲା। ବିଲାଶ ସହ କିଛି ସାମଞ୍ଜସ୍ୟ ଥିବା ଶରୀରର ବିକୃତ ଅବସ୍ଥା ଯୋଗୁଁ ପରିବାର ଲୋକ ଓ ସମ୍ପର୍କୀୟ ଭୁଲ୍ କରିଥିଲେ। ନିଜର ପୁଅ, ଭାଇ, ସ୍ବାମୀ ଭାବି ରୀତିନୀତି ଅନୁଯାୟୀ ଶବ ସତ୍କାର କରିଥିଲେ। କିନ୍ତୁ ପରେ ଯେତେବେଳେ ପୁଲିସଠାରୁ ସଠିକ୍ ସୂଚନା ପାଇଲେ ତାହା ସମସ୍ତଙ୍କୁ ହତବାକ କରିଦେଇଛି।
ରାଜସ୍ଥାନରେ ରହୁଥିବା ଏହି ପରିବାର ଯେତେବେଳେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ୟ ଶରୀରକୁ କୋରିଅର ସେବା ଜରିଆରେ ଗ୍ରହଣ କରିଥିଲେ ସେତେବେଳେ ଏହି ଘଟଣା ପ୍ରଥମେ ସାମ୍ନାକୁ ଆସିଥିଲା। ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ, ଯେଉଁ ଶବ ସେମାନେ ପାଇଛନ୍ତି ତାହା ସେମାନଙ୍କ ପରିବାର ସଦସ୍ୟଙ୍କର ନୁହେଁ। ଏହାପରେ ସେମାନେ ମୁମ୍ବାଇର ଏକ ଥାନାରେ ଏଫଆଇଆର ଦେଇଥିଲେ। ଡେଲିଭରି ପାଇଁ ଅଲଗା ଅଲଗା ଠିକଣା ଥିବା କୋରିଅର୍ କମ୍ପାନି ପକ୍ଷରୁ ଶବଗୁଡ଼ିକୁ ଅଦଳବଦଳ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ରାଜସ୍ଥାନର ଏହି ପରିବାର ଏବେ ନିଜ ସମ୍ପର୍କୀୟଙ୍କ ମରଶରୀର ସଂଗ୍ରହ ପାଇଁ କୁଆଁସଳା ଗାଁକୁ ଆସୁଛନ୍ତି। ସେମାନେ ବିଲାଶଙ୍କ ଶବକୁ ମଧ୍ୟ ସାଙ୍ଗରେ ନେଇ ଆସୁଛନ୍ତି ବୋଲି ଜଣାପଡ଼ିଛି।
ଏସଡିପିଓ ବିମଳ କୁମାର ବାରିକ କହିଛନ୍ତି, “ରାଜସ୍ଥାନରୁ ଏହି ପରିବାର ଖୁବ୍ ଶୀଘ୍ର କୁଆଁସଳା ଗାଁରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ମର ଶରୀରର ଅସ୍ଥି ନେଇଯିବେ। ଆଉ ବିଲାଶଙ୍କ ମରଶରୀରର ଅସ୍ଥି ସାଙ୍ଗରେ ନେଇଯିବେ।”.
Comments are closed.