ନୂଆଦିଲ୍ଲୀ : ଗୁରୁମିତ୍ ରାମ ରହିମଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍ ରାମ ରହିମଙ୍କୁ ସୁପ୍ରିମକୋର୍ଟରୁ ନୋଟିସ୍ ହୋଇଛି । ୨୦୦୨ରେ ଡେରା ସଚ୍ଚା ସୌଦାର ମ୍ୟାନେଜର୍ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ଏହି ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ, ଗୁରୁମିତ ରାମ ରହିମ ଓ ଅନ୍ୟ ୪ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ସିବିଆଇ ।
ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଶାନ୍ନା ଓ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ, ସିବିଆଇ ଆବେଦନ ଉପରେ ଶୁଣାଣି କରି ଗୁରୁମିତ ରାମ ରହିମଙ୍କୁ ନୋଟିସ ଜାରି କରିଛନ୍ତି । ମାମଲା ପରବର୍ତ୍ତୀ ଶୁଣାଣି ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ଖଣ୍ଡପୀଠରେ ହେବ । ହରିୟାଣା ସିର୍ସାରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟାଳୟରେ ଜମେ ମହିଲାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଗୁରୁମିତ ରାମ ରହିମ ସିଂହ । ଏହି ଖବର ସେତେବେଳେ ପ୍ରଘଟ ହୋଇ ଯାଇଥିଲା । ସେତେବେଳର ମ୍ୟାନେଜର ରଞ୍ଜିତ ସିଂହ ଏହା ପ୍ରଘଟ କରିଥିବା ସନ୍ଦେହ କରିଥିଲେ ଗୁରୁମିତ ରାମ ରହିମ ସିଂହ ।
୨୦୦୨ ଜୁଲାଇ ୧୦ ତାରିଖରେ କୁରୁକ୍ଷେତ୍ରରେ ରଞ୍ଜିତ ସିଂହଙ୍କୁ ଗୁଳିକରି ହତ୍ୟା କରାଯାଇଛି । ସିବିଆଇ ମାମଲାର ତଦନ୍ତ କରି ଗୁରୁମିତ ରାମ ରହିମ ସିଂହ ଓ ଅନ୍ୟ ୪ ଜଣଙ୍କୁ ଗିରଫ କରିଥିଲା । ୨୦୨୧ରେ ପଞ୍ଚକୁଲା କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଜରିମାନା ସହ ଆଜୀବନ ସଜା ଶୁଣାଇଥିଲେ । କିନ୍ତୁ ଗତବର୍ଷ ମେ’ ମାସରେ ପଞ୍ଜାବ-ହରିୟାଣା ହାଇକୋର୍ଟ, ଗୁରୁମିତଙ୍କ ସମେତ ୫ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ସିବିଆଇ । ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୭ରୁ ଦୋଷୀ ସାବ୍ୟସ୍ତ ହୋଇ ୨୦ ସଜା ଭୋଗୁଛନ୍ତି ଗୁରୁମିତ ରାମ ରହିମ ସିଂହ ।
Comments are closed.