Latest Odisha News

BREAKING NEWS

ସୁନ୍ଦରଗଡ଼ରେ କଏଦୀ ଓ ମାନସିକ ଭିନ୍ନକ୍ଷମଙ୍କୁ ଦିଆଗଲା ଟିକା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛି ପ୍ରଶାସନ । ଆଜି ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଥିବା ୪୫ ବର୍ଷରୁ ଅଧିକ ବର୍ଗର କଏଦୀ ଓ ଆସ୍ଥା ଗୃହରେ ଥିବା ମାନସିକ ଭିନ୍ନକ୍ଷମଙ୍କୁ ଟିକା ଦିଆଯାଇଛି । ଜିଲ୍ଲା କାରାଗାରରେ ଥିବା ୪୩୯ ଜଣ କଏଦୀଙ୍କ ମଧ୍ୟରୁ ୮୬ ଜଣ ୪୫ ବର୍ଷରୁ ଅଧିକ ବର୍ଗର କଏଦୀ ଟିକା ନେଇଛନ୍ତି । ଅନ୍ୟ କଏଦୀମାନଙ୍କୁ ପର୍ଯ୍ୟାୟକ୍ରମେ ଟିକା ଦିଆଯିବ । ଜେଲରେ କାର୍ଯ୍ୟରତ କର୍ମଚାରୀମାନେ ପୂର୍ବରୁ ଟିକା ନେଇଛନ୍ତି । ତେବେ ଜେଲକୁ କୋଭିଡ୍ ସଂକ୍ରମଣରୁ ଦୂରେଇ ରଖିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ସେହିପରି ମାନସିକ ଭିନ୍ନକ୍ଷମମାନଙ୍କୁ ଆଶ୍ରୟ ଦେଇ ସେମାନଙ୍କୁ ଚିକିତ୍ସା ପ୍ରଦାନ କରିବା ଲାଗି ସୁନ୍ଦରଗଡ଼ରେ ଆସ୍ଥା ଗୃହ କରାଯାଇଛି । ଏଠାରେ ଥିବା ୧୦୫ ଜଣ ଅନ୍ତେବାସୀ ଏବଂ ୮ ଜଣ କର୍ମଚାରୀଙ୍କୁ ମଧ୍ୟ ଆଜି ଟିକା ଦିଆଯାଇଛି । ଜିଲ୍ଲା କାରାଗାର ଓ ଆସ୍ଥା ଗୃହରେ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ।

Leave A Reply

Your email address will not be published.