Latest Odisha News

ଆମେରିକାରେ ଜମୁନି ଟି-୨୦ ବିଶ୍ୱକପ୍

ଭୁବନେଶ୍ବର: ଆମେରିକାକୁ ପସନ୍ଦ ଆସୁନି କ୍ରିକେଟ୍‌? ଖାଲି ପଡ଼ୁଛି ଷ୍ଟାଡିୟମ, କ୍ଷତି ସହୁଛି ଆଇସିସି। ଭାରତ-ପାକ୍ ମ୍ୟାଚକୁ ନେଇ ବଢ଼ିଲା ଚିନ୍ତା । ଚାଲିଛି ଫଟାଫଟ୍ କ୍ରିକେଟ୍ ବିଶ୍ୱକପ୍, ହେଲେ ମ୍ୟାଚ୍ ଦେଖିବାକୁ ଯାଉନାହାନ୍ତି ଦର୍ଶକ । କଥାଟା ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଖେଳାଯାଉଛି ଟି-୨୦ ବିଶ୍ୱକପ୍ । କ୍ରିକେଟର ପ୍ରଚାର ପ୍ରସାର ପାଇଁ ଆଇସିସି ପ୍ରଥମଥର ସେଠାରେ ବିଶ୍ୱକପ୍ ଭଳି ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା । ଲାଗୁଥିଲା ଆମେରିକାବାସୀ କ୍ରିକେଟକୁ ପସନ୍ଦ କରିବେ ।କିନ୍ତୁ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକରେ ଷ୍ଟାଡିୟମ ଖାଲି ପଡ଼ୁଥିବାକୁ ଦେଖିବାକୁ ମିଳିଛି । ବିଶେଷକରି ବୁଧବାର ଭାରତ-ଆୟର୍ଲ୍ୟାଣ୍ଡ ମ୍ୟାଚରେ ଷ୍ଟାଡିୟମକୁ ଦର୍ଶକ ନଆସିବା ଆଶ୍ଚର୍ଯ୍ୟ କରିଛି। ନ୍ୟୁୟର୍କର ନସାଉ କାଉଂଟି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଧିକାଂଶ ସିଟ୍ ଖାଲି ପଡ଼ିଥିଲା। ଅର୍ଥାତ୍ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆମେରିକାରେ ଟୁର୍ଣ୍ଣାମେଂଟ କରାଇବାର ଫାଇଦା ମିଳୁନି ଆଇସିସିକୁ । ନ୍ୟୁୟର୍କର ଏହି ଷ୍ଟାଡିୟମର କ୍ଷମତା ହେଉଛି ୩୪ହଜାର । କିନ୍ତୁ ଭାରତର ମ୍ୟାଚ୍ ଦେଖିବାକୁ ଆସିଥିଲେ ମାତ୍ର ୨୦ହଜାର । ବୋଧହୁଏ, ପ୍ରଥମଥର ଭାରତର ମ୍ୟାଚ୍ ଦେଖିବାକୁ ଆସୁନାହାନ୍ତି ଦର୍ଶକ । ତେବେ ଏହା ପଛରେ ରହିଛି ଏକ ବଡ଼ କାରଣ। କୁହାଯାଉଛି, ଭାରତର ମ୍ୟାଚ୍ ଗୁଡ଼ିକ ପାଇଁ ଆଇସିସି ଦ୍ୱାରା ଟିକେଟ୍ ଦର ମାତ୍ରାଧିକ ବୃଦ୍ଧି ଏବଂ ଖରାପ ମାର୍କେଟିଂ ପାଇଁ ବିକ୍ରି ହୋଇପାରୁନି ମ୍ୟାଚ୍ ଟିକେଟ୍‌ ।

ରବିବାର ଏହି ଷ୍ଟାଡିୟମରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍ । ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ସବୁ ମ୍ୟାଚରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଆଇସିସି ରବିବାର ମ୍ୟାଚ୍ ପାଇଁ ଅତିରିକ୍ତ ଟିକେଟ୍ ଜାରି କରିଛି । ଏହାସତ୍ୱେ ଯଦି ଷ୍ଟାଡିୟମରେ ଦର୍ଶକ ଅନୁପସ୍ଥିତ ରୁହନ୍ତି, ତାହେଲେ ଆଇସିସି ପକ୍ଷରୁ ଆମେରିକାର କ୍ରିକେଟ୍ ଆୟୋଜନ କରାଇବାର ପଦକ୍ଷେପ ଫେଲ୍ ମାରିବ ବୋଲି କୁହାଯାଉଛି ।

Comments are closed.