Latest Odisha News

ଜାଣନ୍ତୁ, ଟି-୨୦ କ୍ରିକେଟରୁ କାହିଁକି ଅବସର ନେଲେ ମିତାଲି ରାଜ୍ !

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ଅର୍ଥାତ୍ ଦୁଇ ଦଶନ୍ଧୀ ଧରି ଭାରତୀୟ ମହିଳା କ୍ରିକେଟ ସହିତ ଜଡ଼ିତ ହୋଇ ଆସିଥିବା କ୍ରିକେଟର୍ ମିତାଲି ଦୋରାଇ ରାଜ୍ ଟି-୨୦ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଦେଶ ବିଦେଶରେ ରହିଥିବା ମିତାଲିଙ୍କର ଶହ ଶହ ଫ୍ୟାନଙ୍କ ଲାଗି ଏହା ଅସହ୍ୟ ହୋଇ ପଡ଼ିଥିବା ବେଳେ ତାଙ୍କର ଏହି ଘୋଷଣାକୁ ନେଇ ଅନେକ ମଧ୍ୟ ସୋସିଆଲ୍ ମିଡ଼ିଆରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଭାରତୀୟ ମହିଳା କ୍ରିକେଟ ଟିମର ମେରୁଦଣ୍ଡ କୁହାଯାଉଥିବା ବ୍ୟାଟିଂ କୁଇନ୍ ମିତାଲି ଦଳରୁ ଉଭୟ ଦିନିକିଆ ତଥା ଟ୍ୱେଣ୍ଟି-୨୦ ଫର୍ମାଟରେ ଅନେକଥର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଭାରତକୁ ବିଭିନ୍ନ ଅନ୍ତର୍ଜାତୀୟସ୍ତରର ଟୁର୍ଣ୍ଣାମେଣ୍ଟ ଜିତାଇଛନ୍ତି । ଜଣେ ସଫଳ ଅଧିନାୟିକା ଭାବେ ସେ ମହିଳା କ୍ରିକେଟ ଦଳକୁ ବିଶ୍ୱର ଶକ୍ତିଶାଳୀ କ୍ରିକେଟ ଟିମ ଭାବେ ଛିଡ଼ା କରିବାରେ ତାଙ୍କର ଯଥେଷ୍ଟ ଭୂମିକା ରହିଛି ।

ଜଣେ ଡ଼ାହାଣହାତୀ ବ୍ୟାଟ୍ସମ୍ୟାନଭାବେ ମିତାଲି ୧୯୯୯ରେ ଜାତୀୟ ମହିଳା ଦଳ ଲାଗି ପ୍ରଥମ ମ୍ୟାଚ ଖେଳିଥିଲେ । ଏହି ୩୬ ବର୍ଷିୟା ଭାରତୀୟ ମହିଳା କ୍ରିକେଟର ଜଣକ ୧୯୯୯ ମସିହାରେ ଆର‌୍ୟାଲ୍ୟାଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସେହି ମ୍ୟାଚରେ ମଧ୍ୟ ୧୧୪ ରନର ଏକ ଶତକୀୟ ଇନିଂସ ଖେଳିଥିଲେ । ସବୁଠାରୁ ବଡ଼ କଥା ହେଲା ମିତାଲିଙ୍କୁ ଯେତେବେଳେ ମାତ୍ର ୧୪ ବର୍ଷ ବୟସ ହୋଇଥିଲା ସେ ୧୯୯୭ ମହିଳା କ୍ରିକେଟ ବିଶ୍ୱକପ ଲାଗି ସମ୍ଭାବ୍ୟ ଭାରତୀୟ ଦଳ ଲାଗି ଚୟନ ହୋଇଥିଲେ । ମାତ୍ର ଚୂଡ଼ାନ୍ତ ଦଳରେ ସାମିଲ୍ ହୋଇପାରିନଥିଲେ । ଜାତୀୟ ଦଳରେ ସାମିଲ୍ ହୋଇ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ତାଙ୍କୁ ଆଉ କିଛିବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ।

ମିତାଲି ତାମିଲ ପରିବାରରେ ଜନ୍ମିତା ଏବଂ ତାଙ୍କର ଜନ୍ମ ରାଜସ୍ଥାନର ଜୋଧପୁରରେ । ସେ ଭାରତୀୟ ଦଳ ଲାଗି ସମୁଦାୟ ୧୦ଟି ଟେଷ୍ଟ, ୨୦୩ଟି ଦିନିକିଆ ଅନ୍ତର୍ଜାତୀୟ ଏବଂ ୮୯ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ସେ ୨୧୪ ରନ, ଦିନିକିଆରେ ୧୨୫ ରନ ଏବଂ ଟି-୨୦ ଫର୍ମାଟରେ ସର୍ବାଧିକ ୯୭ ରନ ସ୍କୋର୍ କରିଛନ୍ତି । ମିତାଲି ତାଙ୍କର ଅନ୍ତିମ ଟି-୨୦ ମ୍ୟାଚ ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖ ଦିନ ଇଂଲଣ୍ଡ ବିପକ୍ଷରେ ଖେଳିଛନ୍ତି । ଭାରତ ଲାଗି ସେ ୯ଟି ଟି-୨୦ ମ୍ୟାଚରେ ଅଧିନାୟକତ୍ୱ କରି ସଫଳ ହୋଇଛନ୍ତି ।

ମିତାଲି ବିଶ୍ୱର ଏକମାତ୍ର ମହିଳା କ୍ରିକେଟର୍ ଯିଏକି ୬,୦୦୦ ରନ ଅତିକ୍ରମ କରିପାରିଛନ୍ତି । ଭାରତୀୟ କ୍ରିକେଟ ଇତିହାସରେ ଅର୍ଥାତ୍ ଉଭୟ ପୁରୁଷ ଓ ମହିଳା କ୍ରିକେଟରେ ସେ ପ୍ରଥମ କ୍ରିକେଟର ଭାବେ ଟି-୨୦ ଫର୍ମାଟରେ ପ୍ରଥମେ ୨୦୦୦ ରନ୍ ଅତିକ୍ରମ କରି ଏକ ବିରଳ ରେକର୍ଡ଼ର ଅଧିକାରୀ ହୋଇଥିଲେ । ସେ ଏହି ରେକର୍ଡ଼କୁ ୨୦୧୮ ମହିଳା ଟି-୨୦ ଏସିଆ କପରେ ହାସଲ କରି ପାରିଥିଲେ ।

ମିତାଲି ଭଲ ଫର୍ମରେ ଥିବା ସତ୍ୱେ ତାଙ୍କୁ ଅନେକ ସମୟରେ ଦଳରେ ସାମିଲ୍ କରାଯାଇନଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଉନ୍ନତ ଫର୍ମରେ ଥିଲେ ମଧ୍ୟ ତାଙ୍କ୍ୁ ଟି-୨୦ ବିଶ୍ୱକପ ସେମିଫାଇନାଲ୍ ମ୍ୟାଚରୁ ବାଦ ଦିଆଯାଇଥିଲା । ଏହା ତାଙ୍କୁ ଖୁବ୍ ବ୍ୟଥିତ କରିଥିଲା । ଦଳର ମୁଖ୍ୟ କୋଚ୍ ରମେଶ ପାୱାରଙ୍କ ସହିତ ସେତେବେଳେ ତାଙ୍କର ବିବାଦ ପଦାରେ ପଡ଼ିଥିଲା ।

ଭାରତୀୟ ମହିଳା କ୍ରିକେଟ ଜଗତର ମହାନ କ୍ରିକେଟର୍ ମିତାଲି ରାଜ୍ କିନ୍ତୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟ ନେଇ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିବା ସ୍ପଷ୍ଟ କରିଛନ୍ତି । ଟି-୨୦ ଫର୍ମାଟରେ ମିତାଲି ରାଜ ଓ ସ୍ମୃତି ମାନ୍ଧନାଙ୍କ ଦୁର୍ଦ୍ଦଶ ଓପନିଂ ଯୋଡ଼ିକୁ ଭାରତୀୟ କ୍ରିକେଟ ଫ୍ୟାନ ନିଶ୍ଚିତ ରୂପେ ମନେ ପକାଇବେ । ଏବେ ଭାରତୀୟ ମହିଳା ଦଳର ଅନ୍ୟ ସାଥି ଖେଳାଳି ଟି-ଟ୍ୱେଣ୍ଟି ମ୍ୟାଚରେ ତାଙ୍କର ଅନୁପସ୍ଥିତିକୁ ହୃଦୟଙ୍ଗମ କରିବା ସ୍ୱାଭାବିକ ।

Leave A Reply

Your email address will not be published.