Latest Odisha News

BREAKING NEWS

ପୁରୀ ‘ବଡ଼ ଆଖଡ଼ା ମଠ’: ଜାଣନ୍ତୁ, କିଛି ଅଜଣା ତଥ୍ୟ…

ପୁରୀ: ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ନିମନ୍ତେ ଏବେ ଶ୍ରୀମନ୍ଦିର ଚାରିପାଖରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଏହି ବିଶ୍ୱପ୍ରସିଦ୍ଧ ପୁରାତନ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ରହିଥିବା ଦୋକାନ, ଘର, ମଠ ତଥା ବିଭିନ୍ନ ପ୍ରକାରର ଅନୁଷ୍ଠାନଗୁଡ଼ିକୁ ଜିଲ୍ଲା ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛନ୍ତି । ବହୁ ବାଦ ପ୍ରତିବାଦ ମଧ୍ୟରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ଏହାରି ମୂଳରେ ସରକାରଙ୍କ ଲକ୍ଷ୍ୟ ରହିଛି ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷା ପ୍ରଦାନ । ତେବେ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିରକୁ ଦକ୍ଷିଣମୁହଁ କରି ରହିଥିବା ବହୁ ପୁରାତନ ବଡ଼ ଆଖଡ଼ା ମଠର ମୁଖ୍ୟ ମହନ୍ତଙ୍କ ମଧ୍ୟରେ ଏହି ଉଚ୍ଛେଦକୁ ନେଇ ଚାଲିଥିଲା ଛକାପଂଝା । ତେବେ ଅନେକ ସାଧୁସନ୍ୟାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ଜିଲ୍ଲାପାଳ ଏହି ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖି ଆସନ୍ତା ୩ଦିନ ମଧ୍ୟରେ ଏହି କାର୍ଯ୍ୟ ହେବ କି ନାହିଁ ନିଷ୍ପତ୍ତି ଗ୍ରହଣ ହେବ ବୋଲି ଆଶ୍ୱାସନା ଦେଇଛନ୍ତି ।

ତେବେ ଏହି ବଡ଼ ଆଖଡ଼ା ମଠ ସମ୍ପର୍କରେ ଅନେକ ଅଜଣା କଥା ତଥା କେତେକ ରୋଚକ ତଥ୍ୟ ଲୁଛିରହିଛି ।

• ଏହି ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକାରେ ରହିଛି ୮୫ଟି କୋଠରୀ, ଯେଉଁଥିରେ ୨୭ଟି ଦୋକାନ ମଧ୍ୟ ଅନ୍ତର୍ଭୃକ୍ତ ।

• ଏହି ମଠଟି ୧୨ଶ ଶତାବ୍ଦୀ ପୁରାତନ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ରହୁଥିବାରୁ ଏହାର ଉଚ୍ଛେଦ ପ୍ରକ୍ରିୟା କରାଯିବାକୁ ପ୍ରଶାସନ ତତ୍ପର ହୋଇଉଠିଛି । ଶ୍ରୀମନ୍ଦିରକୁ ବିଶ୍ୱ ଐତିହ୍ୟରେ ସ୍ଥ୍ାନ ଦେବା ନିମନ୍ତେ ରାଜ୍ୟ ସରକାର ଯେଉଁସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାମଧ୍ୟରେ ଏହି ଉଚ୍ଛେଦ ପ୍ରକ୍ରିୟା ସୁରକ୍ଷା ଦୃଷ୍ଟିରୁ ଜରୁରୀ ହୋଇ ପଡ଼ିଛି ।

• ଏହି ମଠ ମଧ୍ୟରେ ସୀତାରାମଙ୍କ ମୂର୍ତ୍ତି ରହିଥିବା ଏକ ମନ୍ଦିର ରହିଛି । ଏଥିସହିତ ମହନ୍ତ ବସିବା ଲାଗି ଏକ ଗାଦି ମଧ୍ୟ ରହିଛି । ମଠରେ ରହିଛି ଗୁରୁ ଗୋପାଳ ଦାସଙ୍କ ପ୍ରତିମୂର୍ତ୍ତି, ମନ୍ଦିର ତଥା ରୋଷେଇଘର । ମଠର ମହନ୍ତଙ୍କ ଲାଗି ରହିଥିବା ଘରକୁ ମଧ୍ୟ ପ୍ରଶାସନ ଉଚ୍ଛେଦ କରିପାରିନାହାନ୍ତି ।

• ପଞ୍ଚ ଆଖଡ଼ା ନାଗା ସାଧୁମାନଙ୍କ ଦ୍ୱାରା ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ୧୩୫୨ ଖ୍ରୀଷ୍ଟାବ୍ଦରେ ଏହା ନିର୍ମିତ ହୋଇଥିଲା । ସେତେବେଳେ ମୁସଲମାନ ଆକ୍ରମଣକାରୀଙ୍କ କବଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷା ଦେବା ଲାଗି ଏହି ଆଖଡ଼ା ଘର ନିର୍ମାଣ କରିଥିଲେ ନାଗାସାଧୁମାନେ । କେବଳ ସେତିକି ନୁହେଁ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟତୀତ ସମସ୍ତ ହିନ୍ଦୁ ମନ୍ଦିରଗୁଡ଼ିକୁ ଏହି ଆଖଡ଼ା ଘର ଦ୍ୱାରା ସୁରକ୍ଷା ପ୍ରଦାନ କରାଯାଉଥିଲା ।

• ଏହା ପାଞ୍ଚ ରମଣଡ଼ିଅଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ।

• ପ୍ରାୟ ୧୦୦ ଜଣ ନାଗା ସାଧୁ ଏହି ଅଟ୍ଟାଳିକାରେ ରହିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ସୁରକ୍ଷା ପ୍ରଦାନ କରିଥିଲେ । ଏହି ସାଧୁମାନେ ମୁସଲମାନ ଆକ୍ରମଣକାରୀଙ୍କୁ ପୁରୀ ସହର ମଧ୍ୟକୁ କସ୍ମିନ କାଳେ ପ୍ରବେଶ କରାଇ ଦେଉନଥିଲେ ।

• ତେବେ, ୧୯୫୪ ମସିହାରେ ପୋଲିସ ସହିତ ନାଗା ସାଧୁମାନଙ୍କର ସଂଘର୍ଷ ହେବା ଯୋଗୁଁ ଅନେକ ନାଗାସାଧୁ ପ୍ରାଣ ହରାଇଥିଲେ, ତେଣୁ ସେହି ଘଟଣା ପରଠାରୁ ନାଗା ସାଧୁମାନେ ଆଉ ପୁରୀକୁ ଆସୁନାହାନ୍ତି ।

• ବଡ଼ ଆଖଡ଼ା ମଠର ମହନ୍ତ କୁମ୍ଭମେଳାରେ ୧୮ ସଦସ୍ୟ ଥିବା ନାଗା ଆଖଡ଼ା କମିଟି ଦ୍ୱାରା ନିଯୁକ୍ତ ହୋଇଛନ୍ତି ।

• ଏହି ମଠରୁ ହିଁ ସିଂହଦ୍ୱାର ଦମକଳ କେନ୍ଦ୍ର ଏବଂ ପୋଲିସ ଷ୍ଟେସନ ପରିଚାଳିତ ହୋଇଥାଏ ।

Leave A Reply

Your email address will not be published.