Latest Odisha News

BREAKING NEWS

ନିଶା ଯୋଗୁ ବର୍ବାଦ ହୋଇଗଲା ଏହି କ୍ରିକେଟରଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଧନ ଓ ସମ୍ମାନ ମିଳିଲେ ଅନେକଙ୍କ ମୁଣ୍ଡ ଖରାପ ହୋଇଯାଏ । ସେମାନେ ପଥଭ୍ରଷ୍ଟ ହୋଇଯାନ୍ତି । ଆଉ ଶେଷରେ ଯେଉଁଥିପାଇଁ ସେମାନେ ଚର୍ଚ୍ଚାକୁ ଆସିଥିଲେ ତାହା ବି ତାଙ୍କ ହାତରୁ ପଳେଇ ଯାଇଥାଏ । ଆନ୍ତର୍ଜାତୀୟ କ୍ରିକେଟରେ ଏ ଭଳି କେତେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ଦକ୍ଷତାର ଅଭାବ ନ ଥିଲେ । ମାତ୍ର ନିଶାଗ୍ରସ୍ତ ହେବା ଯୋଗୁ ସେମାନଙ୍କ କ୍ୟାରିୟର ଅନ୍ଧକାରକୁ ଚାଲି ଯାଇଥିଲା । ଆସନ୍ତୁ ଜାଣିବା ସେଭଳି କିଛି କ୍ରିକେଟରଙ୍କ ସମ୍ପର୍କରେ.. । ଭାରତର ବିନୋଦ କାମ୍ବଲୀଙ୍କୁ କିଏ ବା ନଜାଣେ । ସଚିନ ତେନ୍ଦୁଲକରଙ୍କ ସହ ସ୍କୁଲ କ୍ରିକେଟରେ ଝଡ ସୃଷ୍ଟି କରିବା ପରେ ଆନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲେ । ୨୧ ବର୍ଷ ବୟସରେ ମାତ୍ର ୧୭ଟି ଟେଷ୍ଟ ଖେଳି ସେ କ୍ରମାଗତ ୨ଟି ଦ୍ୱିଶତକ ମାରିଥିଲେ । ଏହା ଏତେ ସହଜ ନ ଥିଲା । ମାତ୍ର ଏହା ପରେ କାମ୍ବଲୀ ନିଶା କବଳରେ ପଡି ଯାଇଥିଲେ । ଧିରେ ଧିରେ ସବୁ କିଛି ତାଙ୍କ ହାତ ମୁଠାରୁ ଖସି ଯାଇଥିଲା ।

ସେହିପରି ଅଷ୍ଟ୍ରେଲିଆର ଆଣ୍ଡ୍ରୁ ସାଇମଣ୍ଡସଙ୍କ ପରି ଅଲରାଉଣ୍ଡର ବହୁତ କମ ଦେଖିବାକୁ ମିଳେ । ସେ ଏତେ ମାତ୍ରାରେ ମଦ୍ୟପାନ କଲେ ତାଙ୍କୁ ଖେଳାଇବା ସମ୍ଭବପର ହୋଇ ନ ଥିଲା । ଶେଷରେ କ୍ରିକେଟ ଓ ଗ୍ଲାମରଠାରୁ ଦୂରେଇ ସେ ତାଙ୍କ ଗ୍ରାମରେ ଜୀବନ ଯାପନ କରୁଥିଲେ । ୨୦୨୨ରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ୨୦୦୯-୧୦ରେ ନ୍ୟୁଜିଲାଣ୍ଡର ଜେସି ରାଇଡର ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଥିଲେ । ମଦ ନିଶା ତାଙ୍କ କ୍ୟାରିୟର ନଷ୍ଟ କରି ଦେଇଥିଲା । ୨୦୧୩ରେ କ୍ରିଷ୍ଟଚର୍ଚ୍ଚରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଗୁରୁତର ଆଘାତ ପରେ ସେ ସୁସ୍ଥ ହୋଇ ଜାତୀୟ ଦଳକୁ ଫେରି ଶତକ ହାସଲ କରିଥିଲେ । ମାତ୍ର ପରେ ସବୁ କିଛି ତାଙ୍କ ହାତରୁ ଚାଲି ଯାଇଥିଲେ ମଧ୍ୟ ସେ ନିଶା ଛାଡି ପାରି ନ ଥିଲେ ।

ଅଷ୍ଟ୍ରେଲିଆର ଜେମ୍ସ ଫକନର ଅଲରାଉଣ୍ଡର ଭାବେ ଆନ୍ତର୍ଜାତୀୟସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ୨୦୧୫ରେ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁ ପୋଲିସ ତାଙ୍କୁ ଗିରଫ କରିଥିଲା । କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଦେଶର ନାମ ଖରାପ ହେବାର କାରଣ ଦର୍ଶାଇ ଦଳରୁ ବାହାର କରି ଦେଇଥିଲା । ନିଶା ତାଙ୍କ ପାଇଁ ଦୁର୍ଭାଗ୍ୟ ସାଜିଥିଲା । ଆଉ ସେ ପ୍ରତ୍ୟାବର୍ତନ କରିପାରି ନାହାନ୍ତି ।

Comments are closed.