Latest Odisha News

BREAKING NEWS

ଆରମ୍ଭ ହୋଇଛି କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ଉପରେ କଟକଣା

ଅନୁଗୁଳ: ସାତକୋଶିଆରେ ଆଜିଠାରୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଏଥିପାଇଁ ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି ବନଖଣ୍ଡର କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍ ଗଠନ କରାଯାଇଛି । ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଥିବା ବେଳେ ୧୯ ଓ ୧୮ରେ ପକ୍ଷୀ ଗଣନା କରାଯିବ । କୁମ୍ଭୀର ଗଣନା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସେଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବାରଣ କରାଯାଇଥିବା ବେଳେ ମହାନଦୀରେ ବୋଟିଂ କିମ୍ବା ମାଛ ଧରିବାକୁ ମଧ୍ୟ ପ୍ରଶାସନର ବାରଣ କରିଛି ।

ସୂଚନା ଅନୁସାରେ, ଆଜି ସକାଳୁ ସାତକୋଶିଆରେ କୁମ୍ଭୀର ଏବଂ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି । ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି ବନଖଣ୍ଡର କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍ ଗଠନ କରାଯାଇଛି । ଚଳିତ ବର୍ଷ କେବଳ ୧୪ଟି ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନା କରିବା ନେଇ ସୂଚନା ମିଳିଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିମି ପର୍ଯ୍ୟନ୍ତ ଗଣନା କରାଯିବାର ଯୋଜନା ରହିଛି ।

ଗଣନା କାର୍ଯ୍ୟ ପାଇଁ ଚଳିତ ମାସ ୫ରୁ ୯ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି । ସମୁଦାୟ ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । ଟିକରପଡ଼ାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା, ଲୁଣହାଣ୍ଡି, ବେଲପୁଞ୍ଜିମଠ, ଶିଶୁପଥର ଡ୍ୟାମ ଆଦି ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ । ଏଥିପାଇଁ ମୋବାଇଲ୍ ଟ୍ରାକିଂ, ଜିପିଏସ୍, ବାଇନାକୁଲାର ଏବଂ ସ୍ଵତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି । ଅଭୟାରଣ୍ୟରେ କାର୍ଯ୍ୟରତ ରେଞ୍ଜ ଅଫିସର୍‌ଙ୍କ ସମେତ ସମସ୍ତ ଫରେଷ୍ଟର୍ ଓ ଗାର୍ଡମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

 

Leave A Reply

Your email address will not be published.