Latest Odisha News

BREAKING NEWS

ନଦୀ କୁଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା: ନଦୀ କୁଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି ଗୃହପାଳିତ ପଶୁଙ୍କ ସହ ମଣିଷ । ଅଭିଯୋଗ କଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ବନ ବିଭାଗ । ତେଣୁ କୁମ୍ଭୀର ଦାଉରୁ ନିଜକୁ ରକ୍ଷା କରିବା ପାଇଁ ନଦୀରେ ବାଉଁଶ ବାଡ଼ ବାନ୍ଧୁଛନ୍ତି ଗ୍ରାମବାସୀ । ନଦୀରେ ବନ୍ଧା ଚାଲିଛି ବାଉଁଶ ବାଡ଼ । ନିଜର ସୁରକ୍ଷା ପାଇଁ ଏଭଳି କରୁଛନ୍ତି କେନ୍ଦ୍ରାପଡା ବ୍ଲକ ଆୟବା ପଂଚାୟତ ଅନ୍ତର୍ଗତ ଗଣ୍ଡାକିଆ ଗ୍ରାମର ଲୋକମାନେ । କେବଳ ଗଣ୍ଡାକିଆ ଗ୍ରାମ ନୁହେଁ ଏଥିସହ ଆୟବା ଓ ଗଙ୍ଗାରାମ ପୁର ପଂଚାୟତର ଲୋକେ ଏବେ କୁମ୍ଭୀର ଆତଙ୍କରେ ଆତଙ୍କିତ ।

ଦୈନଦିନ କାର୍ଯ୍ୟ ପାଇଁ ଏହି ନଦୀ ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ କୁମ୍ଭୀର ଆତଂକର ଦିନ କାଟୁଛନ୍ତି ।  ଗୋବରୀ ନଦୀରେ କୁମ୍ଭୀର ଆତଙ୍କ ଖେଳାଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ମଣିଷ ଓ ଅସଂଖ୍ୟ ଗୃହ ପାଳିତ ପଶୁ ଏମାନଙ୍କ ଶିକାର ହୋଇସାରିଲେଣି । ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଗ୍ରାମବାସୀ ମାନେ ବ୍ୟବହାର କରୁଥିବା ତୁଠ ନିକଟରେ ବାଉଁଶରେ ବାଡ଼ ତିଆରି କରୁଛନ୍ତି । ଏନେଇ ଅଞ୍ଚଳବାସୀ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

ସେହିଭଳି ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ମାନେ ଗୋବରୀ ନଦୀ ଉପରେ ନିର୍ଭର କରୁଛନ୍ତି । ତେବେ ନିଜ ସୁରକ୍ଷା ପାଇଁ ନଦୀ କୂଳରେ ସ୍ଥାୟୀ ତାର ବାଡ଼ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଅପରପକ୍ଷରେ କୁମ୍ଭୀର ଆସିବା ସମୟରେ ବିଭାଗ ତରଫରୁ ନଦୀକୂଳିଆ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଯାଉଥିବା କରିଛନ୍ତି କେନ୍ଦ୍ରାପଡା ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରଥ ।

Leave A Reply

Your email address will not be published.