Latest Odisha News

BREAKING NEWS

ବାସନ ମାଜୁଥିଲେ ମହିଳା, ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା: ନାଳ କୂଳରେ ବସି ବାସନ ମାଜୁଥିଲେ ମହିଳା । ଟାଣି ନେଇଗଲା କୁମ୍ଭୀର । ବର୍ତ୍ତମାନ ସୁଦ୍ଧା ମହିଳାଙ୍କର କୌଣସି ସନ୍ଧାନ ମିଳିନି । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଅନ୍ତର୍ଗତ ହାତିଆଗଡି ଗାଁରେ ।

ଏହି ଗାଁର ବୈଲୋଚନ ଦାସ ରାଜ୍ୟ ବାହାକୁ ଦାଦନ ଖଟିବାକୁ ଯାଇଥିବାବେଳେ ଘରେ ତାଙ୍କର ପତ୍ନୀ ସୀତା ଦାସ (୪୨ବର୍ଷ)  ଓ ପୁଅ ରହୁଥିଲେ । ନବମ ଶ୍ରେଣୀରେ ତାଙ୍କର ପୁଅ ଆଜି ସ୍କୁଲ ଯିବା ପରେ  ଘରେ ଏକା ଥିଲେ ସୀତା  ।  ଦ୍ୱିପହରରେ ମଧ୍ୟାହ୍ନ ଭୋଜନ ସାରି ନାଳକୁ ବାସନ ମାଜିବାକୁ ଯାଇଥିଲେ । ଘର ପାଖ ଦେଇ ବୋହିଯାଇଥିବା ଚରଡ଼ିଆ ନାଳରେ ବାସନ ମାଜୁଥିବାବେଳେ ହଠାତ ଦଳ  ଭିତରେ ଲୁଚି ରହିଥିବା ଏକ କୁମ୍ଭୀର ତାଙ୍କୁ ଝାମ୍ପି ନେଇ ପାଣି ଭିତରକୁ ପଳାଇଥିଲା।

କୁମ୍ଭୀରକୁ ଦେଖି ସୀତା ଚିତ୍କାର କରିଥିଲେ । ସ୍ଥାନୀୟ ଲୋକ ଆସି ପହଞ୍ଚିବା ବେଳକୁ କୁମ୍ଭୀର ତାଙ୍କୁ ଭିତରକୁ ଟାଣି ନେଇ ଯାଇଥିଲା । ଅଗ୍ନିଶମ ବିଭାଗ  କର୍ମଚାରୀମାନେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଖୋଜାଖୋଜି କରୁଛନ୍ତି ।  ବର୍ତ୍ତମାନ ସୁଦ୍ଧା ସୀତାଙ୍କ ପତ୍ତା ମିଳି ନ ଥିବା ଜଣାଯାଇଛି ।  ସେପଟେ ମାଆକୁ କୁମ୍ଭୀର ଟାଣି ନେଇଥିବା ଖବର ପାଇ ସ୍କୁଲରୁ ଧାଇଁ ଆସିଥିଲେ ପୁଅ। ନାଳ ପାଖରେ ବୁକୁ ଫଟାଇ କାନ୍ଦୁଛନ୍ତି।

ଏଠି କହିରଖିବୁ, ଗତ ୧୪ ତାରିଖରେ  ଭିତରକନିକା ଜାତୀୟ ଉଦ୍ୟାନ ନିକଟ ନିମପୁର ଗାଁ ପାଖରେ  ବ୍ରାହ୍ମଣୀ ନଦୀରେ ଗାଧୋଉଥିବାବେଳେ ଜଣେ ୧୦ ବର୍ଷର ପୁଅକୁ ମା’ ସାମ୍ନାରେ ଟାଣି ନେଇଥିଲା କୁମ୍ଭୀର । ଗତ ୧୩ ମାସ ମଧ୍ୟରେ ଏପରି କୁମ୍ଭୀର ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଲାଣି ।

Comments are closed.