Latest Odisha News

BREAKING NEWS

କୋଟିପତି ଭିକାରୁଣୀ: ଭିକ ମାଗିବାକୁ ଯାଆନ୍ତି ଦାମି କାରରେ

ଆବୁଧାବି: ମସଜିଦ୍ ଆଗରେ ବସିଛନ୍ତି ଜଣେ ମହିଳା । ପିନ୍ଧିଛନ୍ତି ଫଟାଚିରା କପଡ଼ା । ପାଖରେ ଅଛି ଗୋଟିଏ ଛିଣ୍ଡା ବ୍ୟାଗ୍ । ମସଜିଦ୍‌କୁ ଆସୁଥିବା ଲୋକଙ୍କୁ ହାତ ପାତି ଭିକ ମାଗୁଛନ୍ତି । ଏହା ନିତିଦିନିଆ ଘଟଣା । ଭିକ ମାଗିବାରୁ ଯାହା ମିଳେ ତାକୁ ନେଇ ଘରକୁ ଯାଇଥାନ୍ତି । ଆପଣ ଏବେ ଭାବୁଥିବେ ଏଥିରେ ନୂଆ କ’ଣ ଅଛି? କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭିକାରୁଣୀ ଜଣକ ଭିକ ମାଗିବାକୁ ଆସନ୍ତି ଏକ ଦାମି କାରରେ । ଏକଥା ସମସ୍ତଙ୍କୁ ଅଛପା ଥିଲା । କିନ୍ତୁ ନୋ ବେଗିଂ ଜୋନ ବା ଭିକ ମାଗିବା ନିଷିଦ୍ଧାଞ୍ଚଳରେ ଭିକ ମାଗୁଥିବାରୁ ପୋଲିସ ତାଙ୍କୁ ଗିରଫ କଲା । ଜେରା ବେଳେ ତାଙ୍କ ବ୍ୟାଗ୍‌ରୁ ମିଳିଲା ପୁଳା ପୁଳା ଟଙ୍କା । ପୋଲିସ ଏହି ଟଙ୍କା ଜବତ କରିବା ସହ କୋଟିପତି ଭିକାରୁଣୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସଂଯୁକ୍ତ ଆରବ ଏମିରେଟ୍ସରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପୋଲିସର ସୂଚନା ଅନୁସାରେ, ଏହି ମହିଳା ଜଣକ ପ୍ରତ୍ୟେକ ଦିନ ନିଜର କାମ ସାରି ସହରର ବିଭିନ୍ନ ମସ୍‌ଜିଦ୍ ଆଗକୁ ଚାଲିଆସନ୍ତି । ସେଠାରେ ବସି ଭିକ ମାଗିଥାନ୍ତି । ଯିଏ ଯାହା ଦିଅନ୍ତି ସେଥିରେ ସନ୍ତୁଷ୍ଟ ହୋଇ ନିଅନ୍ତି । ଦିନେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କର ମହିଳାଙ୍କ ପ୍ରତି ସନ୍ଦେହ ହେଲା । ସେ ତାଙ୍କ ଉପରେ ନଜର ରଖିଲେ । ଆଉ ଯାହା ଦେଖିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଦେଖିଲେ, ପ୍ରତ୍ୟେକ ଦିନ ମହିଳା ଜଣକ ଦାମି ଡ଼୍ରେସ ପିନ୍ଧି ଏକ ଦାମି କାରରେ ମସ୍‌ଜିଦ୍ ଆଗକୁ ଆସୁଛନ୍ତି । କାରରେ ଭିତରେ ଡ଼୍ରେସ ଚେଞ୍ଚ କରି ଏକ ଫଟା ଚିରା କପଡ଼ା ପିନ୍ଧୁଛନ୍ତି । ଗାଡ଼ିକୁ ମସ୍‌ଜିଦ୍ ପାଖରେ ପାର୍କିଂ କରିଦେଇ ବସି ପଡୁଛ଼ନ୍ତି ଭିକ ମାଗିବାକୁ । ପରେ ସହରର ଅନ୍ୟ ମସଜିଦ୍‌କୁ ଯିବାକୁ ହେଲେ ସେ ପୁଣି କାର୍‌ରେ ଯାଇ ଭିକ ମାଗୁଛନ୍ତି । ସନ୍ଧ୍ୟା ହେଲେ ଘରକୁ ସେହି ଦାମି କାରରେ ଫେରୁଛନ୍ତି ।

ବହୁ ବର୍ଷ ଧରି ଏହି ମହିଳା ସମାନ କାର୍ଯ୍ୟ କରୁଥିଲେ କିନ୍ତୁ କେହି ଏହାକୁ ସନ୍ଦେହ କରି ନ ଥିଲେ । ମହିଳା ଜଣଙ୍କର ଏପରି ହାବଭାବ ଦେଖି ଯୁବକ ଜଣକ ପୋଲିସକୁ ଖବର ଦେଇଥିଲେ । ଆବୁଧାବି ପୋଲିସ ଯେତେବେଳେ ମହିଳାଙ୍କ ଉପରେ ନଜର ରଖିବା ଆରମ୍ଭ କଲା, ସେହି ସମାନ ଘଟଣା ପୋଲିସ ନଜରକୁ ଦେଖିଲା । ପୋଲିସ ତୁରନ୍ତ ମହିଳାଙ୍କୁ ଥାନାକୁ ନେଇ ଆସିଲା ।

ପଚରାଉଚରା ଓ ଯାଞ୍ଚ ପରେ ଯାହା ଦେଖିଲା ତାହା ଦେଖି ପୋଲିସ ତଟସ୍ଥ ହୋଇଗଲା । ମହିଳାଙ୍କ ପାଖରେ ଏକ ଦାମି କାର ଅଛି, ଯାହା ଲାଟେଷ୍ଟ ମଡ଼େଲର । ତାହାସହିତ ବିଳାସପୂର୍ଣ୍ଣ ବଙ୍ଗଳା । ତାଙ୍କ ଘରୁ ଓ କାର ଭିତରୁ କୋଟି କୋଟି ଟଙ୍କା ଜବତ କଲା । ପରେ ମହିଳାଙ୍କୁ ଜେଲକୁ ପଠାଇଛି । ୟୁଏଇରେ ଭିକ ମାଗିବା ଏକ ଅପରାଧ । ଏଠାରେ ଭିକ ମାଗିବା ତିନିମାସ କାରାଦଣ୍ଡ ସହ ଅତି କମରେ ୫୦୦୦ ଟଙ୍କା ଜରିମାନା ହେବାର ନିୟମ ରହିଛି । ଗତ ବର୍ଷ ନଭେମ୍ବର ୬ ରୁ ଡିସେମ୍ବର ୧୨ ମଧ୍ୟରେ ୧୫୯ ଭିକାରୀଙ୍କୁ ଗିରଫ କରିଥିଲା ଆବୁଧାବି ପୋଲିସ କହିଛି ।

Leave A Reply

Your email address will not be published.