Latest Odisha News

BREAKING NEWS

ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ କିଏ ହେବେ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କିଏ ହେବେ  ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ, ମୁଖ୍ୟ ଭିଜିଲାନ୍ସ କମିଶନର ଏବଂ ଲୋକପାଳ ମୁଖ୍ୟ। ଏଥିପାଇଁ ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୁଡ, ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ।

ସୂଚନାନୁସାରେ, ସିବିଆଇ ନିର୍ଦ୍ଦେଶକ ତଥା ମୁଖ୍ୟ ଭିଜିଲାନ୍ସ କମିଶନରଙ୍କ ନିଯୁକ୍ତି ପାଇଁ ସୁପାରିଶରେ ଅଧୀର ରଞ୍ଜନ ଚୌଧୁରୀ ଏଥିରେ ସହମତ ହୋଇ ନ ଥିବାବେଳେ ଲୋକପାଳ ନିଯୁକ୍ତି ପାଇଁ ନାମ ତାଲିକାଭୁକ୍ତ କରିବାକୁ ଏକ ପ୍ୟାନେଲ ଗଠନ କରିବାକୁ କମିଟି ସୁପାରିଶ କରିଛି। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ତିନି ଜଣ ପ୍ରାର୍ଥୀଙ୍କ ନାମ ବିଚାର କରାଯାଉଥିବା ସୂତ୍ରରୁ ପ୍ରକାଶ। ଏଥିମଧ୍ୟରୁ ଜଣଙ୍କୁ ଚୟନ କରାଯିବ।

ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲଙ୍କ କାର୍ଯ୍ୟକାଳ ଚଳିତ ମାସ ୨୫ରେ ଶେଷ ହେବ। ସେ ଗତ ଦୁଇ ବର୍ଷ ଧରି ଏହି ପଦବୀରେ ଥିଲେ। ସେ ୨୬ ମେ ୨୦୨୧ରେ ସିବିଆଇ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସୁବୋଧ କୁମାର ଜୟସୱାଲ ମହାରାଷ୍ଟ୍ର କ୍ୟାଡରର ୧୯୮୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ସେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ମଧ୍ୟ ରହିଛନ୍ତି।

ସିବିଆଇ ନିର୍ଦ୍ଦେଶକ ଚୟନ ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି ତଥା ଲୋକସଭାରେ ବିରୋଧୀ ଦଳର ନେତାଙ୍କ ଦ୍ୱାରା କରାଯାଇଥାଏ। ଯିଏ ବି ହେବେ ସର୍ବନିମ୍ନ ୨ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ ହେବେ। ଯଦି ଆବଶ୍ୟକ ପଡ଼ିବ ତାହେଲେ ଏହି କମିଟି ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିପାରିବ। ନୂଆ ସିବିଆଇ ମୁଖ୍ୟଙ୍କ ପାଇଁ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ ଏବଂ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ନାମ ଆଗରେ ରହିଛି।

Comments are closed.