Latest Odisha News

ଡରାଇଲାଣି ଡେଙ୍ଗୁ, ସତର୍କ କରାଇଲେ ସଚିବ

ଭୁବନେଶ୍ବର: ଏବେ ରାଜ୍ୟରେ ଉପରମୁହାଁ ଡେଙ୍ଗୁ । ଟପିଲାଣି ୫୦୦ । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏନେଇ ସତର୍କ ସୂଚନା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଏହାର ପ୍ରତିକାର ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରୁହନ୍ତୁ । ଏହା ସହିତ ଫିଲ୍ଡ ଷ୍ଟାଫ୍‌ଙ୍କୁ ଡେଙ୍ଗୁ ସହ ଅନ୍ୟ ରୋଗର ପ୍ରତିକାର ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶିଳ୍ପ, କୃଷି, ପାନୀୟ ଜଳ ବିଭାଗ ଏଥିପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହିତ ପ୍ରତି ସ୍ତରରେ ବିଭିନ୍ନ ବିଭାଗ ସହ ସମନ୍ବୟ ରଖି କାମ କରିବାକୁ ପରାମର୍ଶ ଜାରି କରିଛନ୍ତି ସିଏସ ।

ସେପଟେ ରାଜ୍ୟରେ ମାସକରେ ସଂକ୍ରମିତଙ୍କ ସଂଖ୍ୟା ୨ଗୁଣାରୁ ଅଧିକ ବୃଦ୍ଧି ପାଇଛି। ଗତ ମାସ ୧୦ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଳିଥିବା ସୂଚନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫ ଥିବାବେଳେ ଏବେ ସୁଦ୍ଧା ରାଜ୍ୟରେ ୫୧୬ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇସାରିଲେଣି। ଗତବର୍ଷ ଏଯାବତ୍ ୨୭୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ୩୬ ହଜାର ଡେଙ୍ଗୁ ଟେଷ୍ଟ କରାଯାଇଛି । ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୭୧, ସୁନ୍ଦରଗଡ଼ରୁ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ବର୍ଷା ଋତୁ ଆସିଥିବାରୁ ରାଜ୍ୟରେ ମ୍ୟାଲେରିଆ ବଢ଼ିଛି। ମଶାବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଏନେଇ ମିଶ୍ର କହିଛନ୍ତି, ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏଥିରେ ସବୁ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ସେମାନଙ୍କୁ ସତର୍କ ରହିବା ସହ ମାର୍ଗଦର୍ଶିକା ଜାରି କରାଯାଇଛି। ମଶାବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପ୍ରଧାନଶିକ୍ଷକମାନେ ପିଲାଙ୍କୁ ସଚେତନ କରିବାକୁ କୁହାଯାଇଛି। ହଷ୍ଟେଲରେ ମଶାରି ଟାଙ୍ଗି ଶୋଇବାକୁ ମଧ୍ୟ କୁହାଯାଇଛି। ସ୍କୁଲ ପାଖରେ ଯେଭଳି ପାଣି ନ ଜମେ, ପ୍ରତିଦିନ ଧୂଆଁ ଦିଆଯିବ ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comments are closed.