ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ମହାମାରୀ କରୋନା । ବିଶେଷ କରି ଏବେ ଖୋର୍ଦ୍ଧା ଏବଂ କଟକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।
ରାଜ୍ୟରେ କୋଭିଡ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ କେସ୍ ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅର୍ଥନୀତି ସ୍ୱାଭାବିକ ହେଉଥିବା ବେଳେ ଜୀବିକା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏଯାଏ ୨୦ ଲକ୍ଷ ଲୋକଙ୍କ କୋଭିଡ ଟେଷ୍ଟ ହୋଇଛି । ପ୍ରତି ୧୦ ଲକ୍ଷରେ ୪୨,୪୦୪ ଟେଷ୍ଟିଂ , ଯାହାକି ଜାତୀୟ ହାରଠୁ ଅଧିକ ରହିଛି । ରାଜ୍ୟରେ ଆରୋଗ୍ୟ ହାର ୭୬.୭୮% ରହିଥିବା ବେଳେ ମୃତ୍ୟୁହାର ୦.୪୬% ରହିଛି ।’
ଏହା ସହ ମୁଖ୍ୟମନ୍ତ୍ରୀ କହିଥିଲେ ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ ପରିଚାଳନା ପାଇଁ ଏହା ଆହ୍ବାନ ସୃଷ୍ଟି କରିଛି । ତେଣୁ ଏହିସବୁ ଆହ୍ବାନକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, କୃଷି ଉତ୍ପାଦନ କମିଶନର, ୫-ଟି ସଚିବ ଏବଂ ଅନ୍ୟ ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.