କଟକ: ରାତି ପାହିଲେ ମହାନଦୀର ବିସ୍ତିର୍ଣ୍ଣ ବାଲି ଶଯ୍ୟାରେ ଆରମ୍ଭ ହେଵ ଐତିହାସିକ କଟକ ବିଲିଯାତ୍ରା । ଏହି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରାକୁ ଚାତକ ଭାବେ ଚାହିଁ ରହିଛନ୍ତି ଲୋକେ । କାରଣ ଏହି ମେଳାରେ ସମସ୍ତ ପ୍ରକାରର ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନର ଭରପୁର ମଜାନେଇଥାନ୍ତି ଲୋକେ । ସେନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛି ଜିଲ୍ଲା ପ୍ରଶାସନ ।
ବାଲିଯାତ୍ରାରେ କିପରି ଲୋକମାନେ ସୁରକ୍ଷିତ ଭାବେ ମେଳା ବୁଲିବେ ସେନେଇ ସୁରକ୍ଷାବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଚଳିତବର୍ଷ ବାଲିଯାତ୍ରା ୪୩ ଏକର ଜାଗାରେ ଆୟୋଜିତ ହେଉଥିବାବେଳେ, ଏଥିରେ ୧୪ ଶହରୁ ଅଧିକ ଷ୍ଟଲ ରହିବ । ବାଲିଯାତ୍ରାରେ ପ୍ରତିବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ବ୍ୟବସାୟୀ ଆସି ନିଜ ଷ୍ଟଲ ଖୋଲିଥିବାବେଳେ, ଚଳିତବର୍ଷ ମେଳାରେ କେବଳ ଓରମାସ ପକ୍ଷରୁ ୪ ଶହରୁ ଅଧିକ ଷ୍ଟଲ କରାଯାଇଛି ।
ଅନ୍ୟପଟେ ‘କଟକ ଇନ୍ କଟକ’ ପରିସରରେ ସିଏମ୍ସି ଦ୍ୱାରା ଗ୍ରାମୀଣ ବଜାର ଖୋଲିବାର ବ୍ୟବସ୍ଥା କରାଯାଇଛି । ସ୍ୱୟଂସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ବିକ୍ରି କରିବେ । ଏଥିରେ ପ୍ରାୟ ୬୦ଟି ଷ୍ଟଲର ବ୍ୟବସ୍ଥା କରାଯିବ ।
ଏବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିବ ରାଜ୍ୟରେ ପ୍ରଥମଥର ପାଇଁ ହେଉଥିବା ଅଣ୍ଡରଓ୍ବାଟର ଫିସ୍ ଆକ୍ୟୁରମ୍ ଟନେଲ । ପ୍ରଥମଥର ପାଇଁ ଏହି ଆକ୍ୱାରିୟମ ବାଲିଯାତ୍ରାକୁ ଆସିବ । ଏନେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଵିଭାଗ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲୋକମାନେ ଏହାର ଭରପୁର ମଜା ନେବେ ବୋଲି ଆଶା ରହିଛି । ଶୀତତାପ ନିୟନ୍ତ୍ରିତ ଟନେଲ ଭିତରେ ବୁଲି ଏକ ହଜାରରୁ ଉର୍ଦ୍ଧ୍ବ ପ୍ରଜାତୀର ସାମୁଦ୍ରିକ ମାଛ ଦେଖିବାର ସୁଯୋଗ ପାଇବେ ଲୋକେ । ଏହି ଆକ୍ୱାରିୟମ ଟେନେଲ ଭିତରେ ପ୍ରବେଶ ପାଇଁ ଜଣକ ପ୍ରତି ଟିକଟ୍ର ମୂଲ୍ୟ ୧୫୦ ଟଙ୍କା ରହିଛି । ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ମାଧ୍ୟମରେ ଟିକଟ ଉପଲବ୍ଧ ହେବ । ଯେଉଁମାନେ ଅନଲାଇନ୍ ରେ ଟିକଟ୍ କରିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଥିବା ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ରାଜ୍ୟ ତଥା ଦେଶର ଲୋକକଳା, ଶାସ୍ତ୍ରୀୟ ନୃତ୍ୟ ଗୀତ ଓ ଓଲିଉଡ଼, ବଲିଉଡ୍ କଣ୍ଠଶିଳ୍ପୀଙ୍କ ଗୀତରେ ଓଲିଉଡ଼ କଳାକାର ଓ ବଲିଉଡ କଳାକାର କାର୍ଯ୍ୟକ୍ରମ ପରିବେଷଣ କରିବେ । ଚଳିତବର୍ଷ ବାଲିଯାତ୍ରାରେ ଦୁଇ ରାତି ବଲିଉଡ୍ ନାଇଟ ଶୋ’ ର ଆୟୋଜନ କରାଯାଇଛି । ଯାହାର ଭରପୁର ମଜା ନେବେ ଲୋକେ ।
ମେଳାରେ ଚଳିତବର୍ଷ ବିଭିନ୍ନ ପ୍ରକାର ଦୋଳିର ମଜା ନେବେ ଲୋକମାନେ । ଏଥର ପ୍ରାୟ ୩୦ ପ୍ରକାର ଦୋଳି ବାଲିଯାତ୍ରାକୁ ଆସିଛି । ବର୍ତ୍ତମାନ ସମୟରେ ସେଲଫି ସମସ୍ତଙ୍କର ପ୍ରିୟ ସାଜିଥିବାବେଳେ, ମେଳାର ଅଧିକାଂଶ ସ୍ଥାନରେ ସେଲଫି ଜୋନ ମାନ ନିର୍ମିତ ହୋଇଛି । ଯାହା ଲୋକଙ୍କୁ ବେଶ ଆକୃଷ୍ଟ କରିବ । ଏଥିସହ ସବୁ ଷ୍ଟଲରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସହ ଓରମାସ୍ ଭିତରେ ଏଟିଏମ୍ ବ୍ୟବସ୍ଥା ମଧ୍ୟ ରହିଛି । ବାଲିଯାତ୍ରା ବୁଲିବାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପଡିଆର ବିଭିନ୍ନ ଭାଗରେ ପ୍ରାୟ ୪ ଶହ ଟି ଅସ୍ଥାୟୀ ଶୌଚାଳୟ ର ବ୍ୟବସ୍ଥା ହୋଇଛି । ତେବେ ଦୂରରେ ଥିବା ପାର୍କିଂ ସ୍ଥାନରୁ ବାଲିଯାତ୍ରା ପଡିଆକୁ ଆସିଵା ପାଇଁ ବ୍ୟାଟେରୀ ଗାଡ଼ିର ବ୍ୟବସ୍ଥା କରାଯାଇଛି ।
ମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ଆଗମନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ପ୍ରାୟ ୫୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଚଳିତ ବର୍ଷ ଵାଲିଯାତ୍ରା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।
Comments are closed.