କଟକ: କଟକର ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ସାଢ଼େ ୮ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଆଜି କଟକ ସାଇବର ଥାନା ପୁଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ଆଜରୁଦ୍ଦିନ ଅନସାରୀ ଓ ସାକିର ଖାନ୍। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପୀଡ଼ିତଙ୍କ ଭିଡିଓ କଲିଂ କରି ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଛାଡ଼ିବାର ଧମକ ଦେଇଥିଲେ।
ଫେସ୍ବୁକ୍ ଫ୍ରେଣ୍ଡ ରିକ୍ୱେଷ୍ଟ ଜରିଆରେ ଲୋକଙ୍କୁ ଟାର୍ଗେଟ୍ କରୁଥିବା ଏହି ଅଭିଯୁକ୍ତମାନେ ଏକ ବଡ଼ ଅପରାଧୀ ଗ୍ୟାଙ୍ଗର ସଦସ୍ୟ ବୋଲି କଟକ ଡିସିପି ପିନାକ ମିଶ୍ର ପ୍ରକାଶ କରିଛନ୍ତି।
ଦୀର୍ଘ ୧୨ ଦିନର ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ରାଜସ୍ଥାନର ଭରତପୁର ଜିଲ୍ଲାରୁ ଗିରଫ କରାଯାଇଛି। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଏହି ଗ୍ୟାଙ୍ଗ ଅନେକ ସମୟରେ ନକଲି ସିମ୍ କାର୍ଡ ବ୍ୟବହାର କରୁଥିବାରୁ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି। ଏକ ଲକ୍ଷ ଟଙ୍କା ସହ ୧୬ଟି ମୋବାଇଲ୍ ଫୋନ୍, ୨୦ଟି ସିମ୍ କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଗିରଫ କରିବା ବେଳେ ଜବତ କରିଛି ପୋଲିସ। ଅଭିଯୁକ୍ତମାନେ ଏବେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଥିବାବେଳେ ଅଧିକ ତଦନ୍ତ ଜାରି ରହିଛି।
ଡିସିପି ପିନାକ ମିଶ୍ର ଆହୁରି ଉଲ୍ଲେଖ କରିଛନ୍ତି ଯେ, ଏଭଳି ଅପରାଧର ଶିକାର ହୋଇଥିବା ଅଧିକାଂଶ ଲୋକ ଲୋକ ଲଜ୍ଜା ଭୟରେ ଏବଂ ଅପରାଧୀଙ୍କୁ ଚିହ୍ନଟ କରିବାରେ ଅସୁବିଧା ଯୋଗୁଁ ସେମାନଙ୍କର ରିପୋର୍ଟ ଦେଉନାହାନ୍ତି। ତେବେ ଏଭଳି ଅପରାଧୀଙ୍କୁ ଆଇନର କବଳକୁ ଆଣିବା ସହ ପୀଡ଼ିତ ବା ପୀଡିତାଙ୍କୁ ଆଗକୁ ଆସି ଏଭଳି ଅପରାଧର ଖବର ଦେବାକୁ ସେ ନିବେଦନ କରିଛନ୍ତି। ଏପରି କଲେ ଅନେକ ଲୋକ ନିଜ ଟଙ୍କା ଫେରିପାଇବେ ଆଉ ଲୋକେ ସଚେତନ ହେବେ ବୋଲି ସେ କହିଛନ୍ତି।
Comments are closed.