Latest Odisha News

BREAKING NEWS

Cyclone Akvan: ଆସୁଛି ବାତ୍ୟା; ଓଡ଼ିଶାରେ ପ୍ରବଳ ବର୍ଷା, ୭ ଜିଲ୍ଲାରେ ବନ୍ୟା ଆଶଙ୍କା…  

ଭୁବନେଶ୍ୱର: ଶୁକ୍ରବାର ଦିନ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାକୁ ଥିବା ଭୀଷଣ ବାତ୍ୟା ‘ଅକୱାନ’ (Akvan) ପ୍ରଭାବରେ ଆଗାମୀ ତିନି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ସାତୋଟି ଜିଲ୍ଲାରେ ହଠାତ୍ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ନେଇ ଚେତାବନୀ ଦେଇଛି।

IMD ର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଯେଉଁ ଜିଲ୍ଲାଗୁଡ଼ିକରେ ହଠାତ୍ ବନ୍ୟା ଆସିବାର ଆଶଙ୍କା ରହିଛି, ସେଗୁଡ଼ିକ ହେଲା – ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଏବଂ ଯାଜପୁର।

ଏହି ବାତ୍ୟା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିପାରେ ଏବଂ ଝଡ଼ବେଗରେ ପବନର ଗତି ଘଣ୍ଟା ପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୧୯ ଏବଂ ୨୦ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ, କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ୨୧ ସେଣ୍ଟିମିଟର କିମ୍ବା ତା’ଠାରୁ ଅଧିକ ଅତ୍ୟଧିକ ବର୍ଷା ହୋଇପାରେ। ନଭେମ୍ବର ୨୧ ତାରିଖରୁ ବର୍ଷାର ପରିମାଣ ଧୀରେ ଧୀରେ କମିଯିବ ବୋଲି ଆଶା କରାଯାଉଛି।

IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିଛି ଏବଂ ଝଡ଼ବେଗରେ ଏହା ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚୁଛି। ତେବେ ଓଡ଼ିଶା ଉପକୂଳରେ ପହଞ୍ଚିବା ପୂର୍ବରୁ ସ୍ଥଳଭାଗ ସହ ସଂସ୍ପର୍ଶରେ ଆସିବା କାରଣରୁ ଏହା ଦୁର୍ବଳ ହୋଇଯିବ ବୋଲି ଆଶା କରାଯାଉଛି। ଏପଟେ ବିଶାଖାପାଟଣା ଏବଂ ଶ୍ରୀକାକୁଲମ୍ ସମେତ ଉତ୍ତର ଆନ୍ଧ୍ରପ୍ରଦେଶର ଜିଲ୍ଲାଗୁଡ଼ିକ, ଉତ୍ତର ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ, ନଭେମ୍ବର ୧୯ ତାରିଖ ଅପରାହ୍ନରୁ ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିପାରେ, ଯାହାର ଝଟକା ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଏହା ପରେ ପବନର ବେଗ ଧୀରେ ଧୀରେ କମିଯିବାର ସମ୍ଭାବନା ରହିଛି।

ଅପରପକ୍ଷରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ସ୍ୱାଭାବିକ ଜୁଆର ଉପରେ ୦.୫ ରୁ ୧ ମିଟର ଉଚ୍ଚତାର ଜୁଆର (ଷ୍ଟର୍ମ ସର୍ଜ) ଆସିପାରେ। ଏହି ଜୁଆର ଫଳରେ ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା ରହିଛି। ସେହିପରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ବର୍ତ୍ତମାନ ଏହି ବାତ୍ୟା ନରସାପୁର (ଆନ୍ଧ୍ରପ୍ରଦେଶ)ର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୩୯୦ କିଲୋମିଟର, ଗୋପାଳପୁର (ଓଡ଼ିଶା)ର ଦକ୍ଷିଣ ଦିଗରେ ୪୩୦ କିଲୋମିଟର, ପୁରୀ (ଓଡ଼ିଶା)ର ଦକ୍ଷିଣ ଦିଗରେ ୪୯୦ କିଲୋମିଟର ଏବଂ ଚେନ୍ନାଇ (ତାମିଲନାଡୁ)ର ପୂର୍ବ-ଉତ୍ତର ପୂର୍ବ ଦିଗରେ ୬୦୦ କିଲୋମିଟର ଦୂରରେ ରହିଛି।

Leave A Reply

Your email address will not be published.