Latest Odisha News

BREAKING NEWS

କେଉଁଠି ଖୁସି ତ କେଉଁଠି ଦୁଃଖ ଦେଇଗଲା ‘ଦାନା’, ବାତ୍ୟା ବେଳେ ଜନ୍ମ ନେଲେ ୧୬୦୦ ଶିଶୁ

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଛି ‘ଦାନା’। କେଉଁଠି ଘର ଦ୍ଵାର ଭାଙ୍ଗି ଲୋକଙ୍କୁ ଦୁଃଖ ଦେଇଯାଇଛି ତ କେଉଁଠି ଦେଇଛି ଖୁସି ଖବର । ବାତ୍ୟା ବେଳେ ରାଜ୍ୟରେ ଜନ୍ମ ନେଇଛନ୍ତି ପ୍ରାୟ ୧୬୦୦ ଶିଶୁ । ଗତକାଲି ରାତିରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ବେଳେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ମାନଙ୍କୁ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ଓ ମା ଗୃହକୁ ଅଣାଯାଇଥିଲା। ୪୪୩୧ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୬୦୦ ମହିଳା ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଉଭୟ ମାଆ ଓ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଢେଙ୍କାନାଳ ଜିଲ୍ଲାରେ ମୋଟ ୧୨୨ ଜଣ ଆସନ୍ନ ପ୍ରସବଙ୍କୁ ବାତ୍ୟା ପ୍ରଭାବରୁ ରକ୍ଷା କରିବା ପାଇଁ ମେଡିକାଲ ଭର୍ତ୍ତି କରାଯାଇଥିଲା । ସେଥି ମଧ୍ୟରୁ ଗତକାଲି ୪୩ ଜଣ ମହିଳା ସୁରକ୍ଷିତ ପ୍ରସବ କରାଇଛନ୍ତି ।

ତେବେ ବାତ୍ୟାରେ ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ତେଣୁ ସେଠାରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭଦ୍ରକରୁ ୭୫ ହଜାର, ଯାଜପୁରରୁ ୬୦ ହଜାର ଏବଂ କେନ୍ଦ୍ରାପଡ଼ାରୁ ୪୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନନ୍ତର କରାଯାଇଥିଲା । ଅନ୍ୟପଟେ ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ପରିବହନ ସ୍ବାଭାବିକ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ମରାମତି ପାଇଁ ଟିମ ପ୍ରସ୍ତୁତ ହୋଇ ମୁତୟନ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

 

Leave A Reply

Your email address will not be published.