ଚେନ୍ନାଇ: ବଙ୍ଗୋପସାଗରରୁ ସୃଷ୍ଟ ବାତ୍ୟା ‘ଫେଙ୍ଗାଲ’ ଅବପାତରେ ପରିବର୍ତ୍ତନ ହୋଇଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହା ଅଧିକ ଘନୀଭୂତ ହୋଇ ଆଜି ବାତ୍ୟାର ରୂପ ନେବ। ଆଗାମୀ ଦୁଇଦିନ ମଧ୍ୟରେ ଏହା ତାମିଲନାଡୁରେ ମାଡ଼ ହୋଇପାରେ । ତେବେ ବାତ୍ୟାର ପ୍ରଭାବ ସ୍ଥଳଭାଗରେ ଅପେକ୍ଷାକୃତ କମ୍ ରହିବ । ସମୁଦ୍ରରେ ଥିବା ସମୟରେ ଏହାର ପ୍ରଭାବ ଅଧିକ ରହିବ। ବାତ୍ୟା ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ। ତେଣୁ ସ୍ଥଳଭାଗରେ କମ୍ ବର୍ଷା ଓ ପବନ ହୋଇପାରେ।
ବର୍ତ୍ତମାନ ତ୍ରିଙ୍କୋମାଳି ଠାରୁ ୧୦୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ଶ୍ରୀଲଙ୍କା କୋଷ୍ଟ ଆଡ଼କୁ ମୁହାଁଇବ । ୩୦ ତାରିଖ ସକାଳ ସୁଦ୍ଧା ମହାବଳିପୁରମ ଓ କଡ଼ାଇକାଲ ମଧ୍ୟରେ ଉତ୍ତର ତାମିଲନାଡ଼ୁ – ପୁଡ଼ୁଚେରୀ ଉପକୂଳ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ରହିବ ୫୦ ରୁ ୬୦ କିଲୋମିଟର । ଝଟକା ପବନର ବେଗ ୭୦ କିଲୋମିଟର ରହିପାରେ ।
ସେପଟେ ଏବେଠାରୁ ବାତ୍ୟା ‘ଫେଙ୍ଗାଲ’ର ପ୍ରଭାବ ପଡିବା ଆରମ୍ଭ ହେଲାଣି। ଚେନ୍ନାଇ ଚେଙ୍ଗଲପେଟ, ତିରୁବଲ୍ଲୁର, କୁଡ୍ଡାଲୋର, ନାଗାପଟିନମରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ଅନ୍ୟପଟେ ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।