Latest Odisha News

BREAKING NEWS

ବାତ୍ୟା ସିତ୍ରଙ୍ଗ ପ୍ରଭାବରେ ୨୩ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଅବପାତ ଓ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ ।

ଏହାପରେ ଗଭୀର ଅବପାତ ଉତ୍ତର ଦିଗକୁ ରିକର୍ଭ କରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଏହାପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ୨୫ ତାରିଖରେ ଓଡ଼ିଶା ଉପକୂଳରୁ ଦୂରରେ ଯାଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ।

ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ହେବ । ୨୩ ତାରିଖରେ ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୨୫ ତାରିଖରେ ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବାତ୍ୟା ପାଇଁ ୨୨ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୦ କିଲୋମିଟର ରହିପାରେ ।

ଓଡ଼ିଶା ଉପରୁ ବାତ୍ୟା ବିପଦ ଏକପ୍ରକାର ଟଳିଥିବା ବେଳେ ବାତ୍ୟାର ତୀବ୍ରତା ଏଯାଏ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ଆଜି ରାଜ୍ୟର ଆଉ କିଛି ଜିଲ୍ଲାରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସାରଣ ହୋଇଥିବା ବେଳେ ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାରୁ ଅପସାରଣ ପାଇଁ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.