ଭୁବନେଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଦେଖା ଦେଇଥିବା ଘୂର୍ଣ୍ଣି ବଳୟ ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ରବିବାର ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହା ୯ ତାରିଖ ଅଧିକ ଘନିଭୂତ ହୋଇ ଲଘୁଚାପର ରୂପ ନେଇପାରେ ।
ଲଘୁଚାପ ରୂପ ନେବା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇ କେନ୍ଦ୍ରିୟ ବଙ୍ଗୋପ ସାଗରର ଉତ୍ତରକୁ ଗତି କରିବାର ସମ୍ଭାବନା ରହିଛି । ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳକୁ ସମ୍ଭାବ୍ୟ ବାତ୍ୟା ଗତି କରିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ୮ତାରିଖ ପରେ ବାତ୍ୟାର ତୀବ୍ରତା ଓ ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି କହିଛି ପାଣିପାଗ ବିଭାଗ ।
ସମ୍ଭାବ୍ୟ ବାତ୍ୟା ‘ମୋଖା’କୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ବଙ୍ଗୋପ ସାଗରକୁ ନ ଯିବା ସତର୍କ କରି ଦିଆଯାଇଛି । ଏହାର ପ୍ରଭାବରେ ୭ ତାରିଖ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ପବନର ବେଗ ଆସ୍ତେ ଆସ୍ତେ ବୃଦ୍ଧି ପାଇ ମେ’ ୧୧ ତାରିଖ ବେଳକୁ ଘଣ୍ଟାପ୍ରତି ବେଗ ୮୦ କିମି ହୋଇପାରେ । ଏଥସହିତ ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ, କେରଳ, ମାହେରେ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ତେବେ ଏହାର ପ୍ରଭାବ ଓଡ଼ିଶା ରହିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
କେଉଁଦିନ ଲଘୁଚାପ ସୃଷ୍ଟି ହେବ ଏହାକୁ ନେଇ ଭିନ୍ନ ଭିନ୍ନ ସଂସ୍ଥା ଭିନ୍ନ ମତ ପୋଷଣ କରିଛନ୍ତି । ଆଇଏଡି ଜିଏଫର କହିବା ଅନୁଯାୟୀ, ମେ ୮ ତାରିଖ ବେଳକୁ ଲଘୁଚାପ ହୋଇପାରେ । ସେହିପରି ଏନସିଇପି ମେ’ ୯ ତାରିଖ ଏବଂ ୟୁରୋପିଆନ ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫରକରାଷ୍ଟ (ECMWF) ପକ୍ଷରୁ ମେ ୧୦ରେ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି ।
Comments are closed.