Latest Odisha News

ହାରିଲା ଦାରିଦ୍ର୍ୟ, ଜିତିଲା ସ୍ୱପ୍ନ: ଏବେ ଦାଦନ ହେବେ ଡାକ୍ତର

ରାୟଗଡ଼ା: ହାରିଲା ଦାରିଦ୍ର୍ୟ । ଜିତିଲା ଦୃଢ ଇଛାଶକ୍ତି । ସବୁ ବାଧାବିଘ୍ନ ସତ୍ତ୍ୱେ ସେ ପହଞ୍ଚିଲେ ନିଜ ଲକ୍ଷ୍ୟସ୍ଥଳରେ  । ଏବେ ହାତମୁଠାରେ ସ୍ୱପ୍ନ ।  ଯେଉଁ ଅଭାବ ତାଙ୍କ ପାଦର ବେଡ ଥିଲେ ସେ ହିଁ ତାଙ୍କୁ ରାସ୍ତା ଦେଖାଇଲା । ପ୍ରେରଣା ଦେଲା । ଏବେ ସ୍ୱପ୍ନକୁ ସାକାର କରିବା ପାଇଁ ମାତ୍ର କିଛି ସମୟର ଅପେକ୍ଷା ।

ଦାଦନରୁ ଡାକ୍ତର । ଦିନେ ପେଟକୁ ଦୁଇମୁଠା ଆହାର ଯୋଗାଡ କରବା କାଠିକର ପାଠ ଥିଲା । ଭିଟାମାଟି ଛାଡି ଦାଦନ ଖଟିବାକୁ ଯାଇଥିଲେ ସୁଦୂର କେରଳ । ହେଲେ ସେ ଅଭାବର ଚାଲେଞ୍ଜକୁ ସ୍ୱୀକାର କରି ନେଇଥିଲେ । ଅଭାବ ସହ, ପ୍ରତିବନ୍ଧକ ସହ ଲଢିଲେ । ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଦାଦନ ଛାଡି ପାଠ ପଢିଲେ । ଆଉ ଆଜି ସେ ନିଟ କ୍ୱାଲିଫାଏ କରିଥିବା ଜଣେ ଡାକ୍ତରୀ ଛାତ୍ର । ସେ ଆଜି ସବୁ ଅଭାବି ପିଲାଙ୍କ ପାଇଁ ପ୍ରେରଣାର ଉତ୍ସ ।

ଆମେ କହୁଛୁ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଥୁଆପାଢୀ ସଦର ପଞ୍ଚାୟତ ଗ୍ରାମର କୃଷ୍ଣଚନ୍ଦ୍ର ଅଟକାଙ୍କ କଥା ।   ନିଜ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ଦେଖି ତାଙ୍କ ମନ ଦୁଃଖରେ ଭାଙ୍ଗି ପଡୁଥିଲା । ଔଷଧଟିକିଏ ପାଇଁ କେତେ କଲବଲ ହେଉଛନ୍ତି ତା’ ବାପା..ମା..ଦାଦା..ବଡବାପା..ଇତ୍ୟାଦି ।  ଭାବୁଥିଲେ ସେ ହେଲେ ଜଣେ ଡାକ୍ତର ହୁଅନ୍ତେ, ନିଜ ଅଞ୍ଚଳବାସୀଙ୍କୁ ଚିକିତ୍ସାସେବା ଯୋଗାଇ ଦିଅନ୍ତେ ! ହେଲେ ଅଭାବ ତାଙ୍କ ବାଟ ଓଗାଳିଥିଲା ।

ଦଶମ ପାସ କରିବା ପରେ ସେ ବ୍ରହ୍ମପୁର ଖୋଲିକୋଟ୍ କଲେଜରେ ନାମ ଲେଖାଇଥିଲେ । ସେଠାରୁ ମଧ୍ୟ ସଫଳତାର ସହ ପାସ୍ କରି   ଘରକୁ ଫେରିଯାଇଥିଲେ । ହେଲେ ଆଉ ଆଗକୁ ଯାଇ ପାରି ନ ଥିଲେ । ଭୋକିଲା  ପେଟ ପାଇଁ ସହ ସଂଘର୍ଷ ତାଙ୍କୁ ଚାଷଜମିକୁ ଟାଣି ନେଇଥିଲା । ବାପା ବଇଦ ଅଟକାଙ୍କ ସହ ମିଶି ବିଲରେ କାମ କରିବାକୁ ପଡୁଥିଲା । କାରଣ ଚାଷ ନ କଲେ ଖାଇବେ କ’ଣ ? ଶେଷରେ ପରିସ୍ଥିତି ଏମିତି ହୋଇଥିଲା ଯେ, ୨୦୧୪ରେ ସେ ଦାଦନ ଖଟିବାକୁ ଚାଲି ଯାଇଥିଲେ କେରଳ ।

ସେଠାରେ ଏକ ଇଟାଭାଟିରେ କିଛି ବର୍ଷ କାମ କଲେ । ହେଲେ ସେଠାର ନିର୍ଯାତନା ତାଙ୍କୁ ଅତିଷ୍ଠ କରିଥିଲା । ସେ ଫରି ଆସିଥିଲେ । ବାପାଙ୍କ  ସହ ମିଶି ଚାଷ ଜମିରେ କାମ କରିବା ସହ ନିଟ ପାଇଁ ପ୍ରସ୍ତୁତ ହେଉଥିଲେ । ଇତି ମଧ୍ୟରେ ପରିବାର ଲୋକେ ନିଜ ସଂପ୍ରଦାୟର ଏକ ଝିଅ ସହ କୃଷ୍ଣଙ୍କର ବିବାହ କାମ ମଧ୍ୟ ସାରିଦେଇଥିଲେ। ଏବେ କୃଷ୍ଣ ଦୁଇଟି ସନ୍ତାନରେ ବାପା ଅଟନ୍ତି ।

ତଥାପି କୃଷ୍ଣ ପାଠପଢା ଛାଡି ନ ଥିଲେ । ରାତି ଦିନ ଏକ କରି ଦେଇଥିଲେ । ବହି ନାହିଁ, ଖାତା ନାହିଁ କି କୋଚିଂ ନାହିଁ । ତଥାପି ଅନଲାଇନରୁ ପଢି ପଢି ସେ ନିଟ ପାଇଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ପିଲା ଥରଟିଏ ବି ନିଟ କ୍ୱାଲିଫାଏ କରି ପାରୁନାହାନ୍ତି । କିନ୍ତୁ କୃଷ୍ଣଚନ୍ଦ୍ର ଦୁଇ ଦୁଇ ଥର ନିଟ ପରୀକ୍ଷାରେ ସଫଳତା ପାଇଥିଲେ ।

୨୦୨୨ରେ ସେ ନିଟ କ୍ୱାଲିଫାଏ କରିଥିଲେ । କିନ୍ତୁ  କୌଣସି କାରଣ ବଶତଃ ସେ ଆଉ ନାମ ଲେଖାଇ ପାରିନଥିଲେ । ହେଲେ ସେ ଭାଙ୍ଗି ପଡି ନ ଥିଲେ ।   ୨୦୨୩ ମସିହାରେ ପୁନର୍ବାର ପାଠପଢା ଆରମ୍ଭ କରି ପରୀକ୍ଷା ଦେଲେ ଏବଂ ଳ ନିଟରେ ସଫଳତା ପାଇଲେ । ଏବେ ସେ କଳାହାଣ୍ଡି ଜିଲ୍ଲାର ମେଡିକାଲ କଲେଜ ନାମ ଲେଖାଇଛନ୍ତି ।

ବୟସ ସାମାନ୍ୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା କୃଷ୍ଣଙ୍କ ଇଛାଶକ୍ତି ଆଗରେ ସବୁକିଛି ଫେଲ୍ ମାରିଛି । ଆଉ କିଛି ବର୍ଷ ପରେ ସେ ଜଣେ ସଫଳ ଡାକ୍ତର ହୋଇ ଆଦିବାସୀ ଅଞ୍ଚଳକୁ ଫେରିବା ପାଇଁ ଆଶା ରଖିଛନ୍ତି । ତାଙ୍କର ଏହି ସଫଳତା  ପରେ ପରିବାରରେ ଦେଖିବାକୁ ମିଳିଛି ଅଜସ୍ର ଖୁସି ।

Comments are closed.