Latest Odisha News

ବରଫ ଚାଦର ତଳେ କାଶ୍ମୀର, ମାଇନସ୍ ତାପମାତ୍ରାରେ ବରଫ ହେଲା ହ୍ରଦ

ଶ୍ରୀନଗର: କାଶ୍ମୀରରେ ଭୀଷଣ ଥଣ୍ଡା ପଡିବା ସହିତ ଶ୍ରୀନଗରରେ ଗତ ପାଞ୍ଚ ଦଶନ୍ଧିର ରେକର୍ଡ ଭାଙ୍ଗିଛି ଥଣ୍ଡା । ଡିସେମ୍ବର ମାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି । ଗତ ଶନିବାର ଠାରୁ ଉପତ୍ୟକାରେ ‘ଚିଲ୍ଲଇ କଳା’ ଆରମ୍ଭ ହୋଇଛି। ଅର୍ଥାତ୍ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୁତ ହେଉଛି । ଗତ ୫ ଦଶକ ମଧ୍ୟରେ ଏହା ପ୍ରଥମ । ଶ୍ରୀନଗରରେ ଆଜି ସକାଳେ ତାପମାତ୍ରା ମାଇନସ୍ ୭.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫଳସ୍ୱରୂପ, ଡାଲ ହ୍ରଦ ପରି ଅନ୍ୟାନ୍ୟ ଛୋଟ ବଡ ହ୍ରଦ ସବୁ ବରଫ ପାଲଟି ଯାଇଛି । ଡାଲ ହ୍ରଦ ଉପରେ ବରଫର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳିଛି ।

କେବଳ ଶ୍ରୀନଗରର ନୁହେଁ କାଶ୍ମୀରର ଅନ୍ୟାନ୍ୟ ଅଞ୍ଚଳର ଅବସ୍ଥା ମଧ୍ୟ ଜଟିଳ ହୋଇପଡିଛି । ପହଲଗାମର ତାପମାତ୍ରା ମାଇନସ୍ ୮ ଡିଗ୍ରୀ ସେଲସିୟସ୍ ହୋଇଥିବା ବେଳେ ପୁଲୱାମା ଏବଂ ଅନନ୍ତନାଗରେ ତାପମାତ୍ରା ମାଇନସ୍ ୯.୫ ଏବଂ ମାଇନସ୍ ୯.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ସେହିପରି ଜୋଜିଲାର ତାପମାତ୍ରା ମାଇନସ୍ ୨୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ସେପଟେ ଲଦାଖର ଲେହ ଏବଂ କାର୍ଗିଲରେ ତାପମାତ୍ରା ମାଇନସ୍ ୧୨.୨ ଡିଗ୍ରୀ ସେଲସିୟସ୍ ଏବଂ ମାଇନସ୍ ୧୨.୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ଦ୍ରାସରେ ମାଇନସ୍ ୧୭.୭ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି ।

ସେପଟେ ଶ୍ରୀନଗରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ଯାହା ପର୍ଯ୍ୟଟକଙ୍କ ମୁହଁରେ ଖୁସି ଆଣି ଦେଇଛି। ପ୍ରବଳ ତୁଷାରପାତ ଫଳରେ ଶ୍ରୀନଗରର ଚତୁର୍ପାଶ୍ଵ ଧଳା ଚାଦରରେ ଢାଙ୍କି ହୋଇ ରହିଛି । ଏହି ତୁଷାରପାତ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିଛି ।

 

Leave A Reply

Your email address will not be published.