Latest Odisha News

ନମସ୍କାର ନକରିବାରୁ ଦଳିତ ବୃଦ୍ଧଙ୍କୁ ନିର୍ଯାତନା; ରଶିରେ ବାନ୍ଧି ନିସ୍ତୁକ ପିଟିଲେ

ଭୋପାଳ: ନମସ୍କାର ନକରିବାରୁ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ । ଉଚ୍ଚଜାତିର ଲୋକଙ୍କୁ ଦେଖି ହାତ ଯୋଡି ନମସ୍କାର ନକରିବାରୁ ଜଣେ ଦଳିତ ବୃଦ୍ଧଙ୍କୁ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଛତରପୁରରେ ।

ସୂଚନା ଅନୁସାରେ, ଖଜୁରାଓ ଥାନା ଉଦୟପୁରା ଗାଁର ନାଥୁରାମ ଅହିରୱାରଙ୍କୁ ମାଡ ମାରିଥିଲେ ଅଖିଳେଶ ଦୁବେ ଏବଂ ରାମଜୀ ପାଣ୍ଡେ। ନାଥୁରାମ ଦଳିତ ବର୍ଗର ହୋଇଥିବା ବେଳେ ଅଖିଳେଶ ଓ ରାମଜୀ ନିଜକୁ ଉଚ୍ଚ ଜାତିର ବୋଲି କହୁଥିଲେ। ଉଭୟ ନାଥୁରାମ ଓ ତାଙ୍କ ପରିବାକୁ ପୂର୍ବରୁ ବହୁବାର ହଇରାଣ କରୁଥିବା ଜଣାପଡିଛି। ନାଥୁରାମ ରାସ୍ତାରେ ଯିବାବେଳେ ଉଭୟଙ୍କୁ ଦେଖି ହାତ ଯୋଡି ନମସ୍କାର ନକରିବାରୁ ସେମାନେ ମାଡ ମାରିଥିବା ଅଭିଯୋଗ ହୋଇଛି।

ପ୍ରଥମେ ତାଙ୍କୁ ଗୋଟିଏ ରୁମ୍‌କୁ ନିଆଯାଇ ମାଡ଼ ମରାଯାଇଥିଲା । ଅଭିଯୁକ୍ତମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଖବର ଜଣାପଡ଼ିବା ପରେ ପୀଡ଼ିତ ବୃଦ୍ଧଙ୍କ ପରିବାର ଲୋକେ ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ନ୍ୟାୟ ଦାବିରେ ଏସପି ଅଫିସରେ ପହଞ୍ଚିଥିଲେ ପରିବାର ଲୋକ । ଏହାପରେ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ପୀଡ଼ିତ ନାଥୁରାମଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ହଇରାଣ କରୁଥିଲେ । ଅନେକ ସମୟରେ ଗାଳିଗୁଲଜ କରୁଥିଲେ। ଥାନାରେ ଅଭିଯୋଗ ନକରିବା ପାଇଁ ଧମକ ଦେଉଥିବା ଅଭିଯୋଗ ହୋଇଛି।

 

Comments are closed.