Latest Odisha News

BREAKING NEWS

ଡଙ୍ଗରିଆ କନ୍ଧ ଆଦିବାସୀ ନା ଏସ୍ଇବିସି ? ସିଏମଓର ଟ୍ୱିଟକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଜନଜାତିଙ୍କ ମଧ୍ୟରୁ ଡଙ୍ଗରିଆ କନ୍ଧ ଅନ୍ୟତମ । ଏମାନେ କୁଇ ଭାଷା କହିବା ସହ ସେମାନଙ୍କ ପୋଷାକ ଓ ଚାଲି ଚଳଣି ଅନ୍ୟମାନଙ୍କ ଠାରୁ ଭିନ୍ନ । ଏମାନେ ଘଞ୍ଚ ଜଙ୍ଗଲରେ ରୁହନ୍ତି । ନିୟମଗିରି ପାହାଡ଼ରେ ବସବାସ କରନ୍ତି ।

ହେଲେ ଏହି ଆଦିମ ଆଦିବାସୀଙ୍କ ଜାତି ଓ ସମ୍ପ୍ରଦାୟକୁ ନେଇ ଏବେ ଉଠିଛି ପ୍ରଶ୍ନ । ଗତ ୨୪ ତାରିଖରେ ଓଡ଼ିଶା କ୍ୟାବିନେଟ୍ ୨୨ ଗୋଟି ଜାତି/ସମ୍ପ୍ରଦାୟକୁ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC) ତାଲିକାରେ ସାମିଲ୍ ନେଇ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମ ୧୯୯୩ର ସଂଶୋଧନ ସମ୍ବନ୍ଧୀୟ ଅଧ୍ୟାଦେଶ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲା ।

ଏ ସମ୍ପର୍କିତ ଏକ ଟ୍ୱିଟ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ବେଳେ ସେଥିରେ ଡଙ୍ଗରିଆ କନ୍ଧଙ୍କ ଫଟୋ ରହିଛି । ଯେଉଁମାନେ କି ଆଦିମ ଆଦିବାସୀ । ଡଙ୍ଗରିଆ କନ୍ଧ ଆଦିମ ଆଦିବାସୀ ହୋଇଥିବା ବେଳେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ନେଇ ସିଏମଓ କରିଥିବା ଟ୍ୱିଟରେ କାହିଁକି ଡଙ୍ଗରିଆ କନ୍ଧଙ୍କ ଫଟୋ ରଖାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଦିବାସୀ ନେତା ।

କୁଇ ସମାଜର ସାଧାରଣ ସମ୍ପାଦକ ଲମ୍ବୋଦର କହଁର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଭଳି ଟ୍ୱିଟ୍ ଓ ଫଟୋକୁ ନେଇ ପ୍ରତିବାଦ କରିବା ସହ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଲମ୍ବୋଦର କହଁର କହିଛନ୍ତି, ସରକାର ତୁରନ୍ତ ତ୍ରୁଟି ସୁଧାରନ୍ତୁ । ଡଙ୍ଗରିଆ କନ୍ଧ ହେଉଛନ୍ତି ଆଦିମ ଆଦିବାସୀ, ଏସଇବିସି ନୁହଁନ୍ତି । ଏଭଳି କରିବା ଆମ ପ୍ରତି, ଆଦିବାସୀଙ୍କ ପ୍ରତି ଅପମାନ । ସରକାର ଭୁଲ୍ ନ ସୁଧାରିଲେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ସେହିଭଳି ଆଦିବାସୀ ନେତା ସୋନୁ ଅନୁଗୁ କହିଛନ୍ତି, ଡଙ୍ଗରିଆ କନ୍ଧ ଏସଇବିସି ନୁହଁନ୍ତି । ସେମାନେ ହେଉଛନ୍ତି ଆଦିମ ଆଦିବାସୀ । ସିଏମଓ ପକ୍ଷରୁ ଏଭଳି କରାଯିବା ଗ୍ରହଣୀୟ ନୁହେଁ । ଏଭଳି କରି ଡଙ୍ଗରିଆ କନ୍ଧଙ୍କୁ ଅସମ୍ମାନ କରାଯାଉଛି ।

ତେବେ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଣ ଜାଣି ପାରୁନି ଡଙ୍ଗରିଆ କନ୍ଧ କେଉଁ ସମ୍ପ୍ରଦାୟର ? ନା ଅଜାଣତରେ ଏଭଳି ଭୁଲ୍ ହୋଇଛି । ଯଦି ଅଜାଣତରେ ଭୁଲ୍ ହୋଇଛି ତେବେ କାହିଁକି ୪୮ ଘଣ୍ଟା ପରେ ବି ତ୍ରୁଟି ସୁଧାରୁନି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ?

Leave A Reply

Your email address will not be published.