ଦର୍ପଣ-୯
ଈପ୍ସିତା ଷଡ଼ଙ୍ଗୀ
ଏ ଭିତରେ ଚାଲ
ଆମେ ଶବ୍ଦ କୋଷଟେ ରଚିବା
ଆମର, ସେଥିରେ ଥିବ ଅସଂଖ୍ୟ ସଂକେତ
ସେ ଚିହ୍ନକୁ ବୁଝିବ ତୁମେ
ବୁଝିବି ମୁଁ ହିଁ କେବଳ ।
କହ ଏବେ, କେଉଁ ପରି
ଚିହ୍ନ କରିବା ଫୁଲ ପାଇଁ
କି ଚିହ୍ନରେ ମନ, କି ଚିହ୍ନରେ
ହୃଦୟ, ଦୁଃଖ, ସମୟ ଅଭିମାନ
କି କି ଚିହ୍ନ ନେଇ ପ୍ରକାଶିବେ ନିଜ ନିଜକୁ
ଗାଲର ଭଉଁରୀ , ମଉନ ହସ
ମନମାରି ବସିଥିବା ଯାବତୀୟ ଋଷିବାର
ଥମଥମ୍ ମୁହଁ?
ପ୍ରତି ପୃଷ୍ଠା ସାମ୍ନାରେ
କାଚଟିଏ ରଖୁଥିବା
ଏପଟେ ଗୋଟେ ହଳ ଆଖିର ପାରଦ
ଆରପଟେ ଆର ହଳ ଆଖି
ହେଉଥିବ ଗୋଟେ ସମ୍ପର୍କର ଦର୍ପଣ !
କହ କେଉଁ ସଂକେତରେ
ଚିହ୍ନେଇବା ବୋହୁଥିବା
ସ୍ରୋତସ୍ଵିନୀ ଅଭୁତ ଧାରକୁ !
ମୋ ମନକୁ କ’ଣ ଆସେ ଜାଣ?
ସବୁ ସଂପର୍କ ପାଇଁ
ସତେ କ’ଣ ନାଁ ଟିଏ ନିହାତି ଜରୁରୀ ?
ଜରୁରୀ କ’ଣ ସଂକେତ କି ଚିହ୍ନ ?
ଚାଲ, ଶୂନ୍ୟରେ ସୂକ୍ଷ୍ମ ରେ
ହଜେଇଦେବା ସବୁ
ନାଁକୁ, ସଙ୍କେତକୁ,
ଚାଲ, ଖାଲି ପୃଷ୍ଠାର ସହସ୍ର କାଗଜକୁ
ବନ୍ଧେଇ କରିବା
ସନ୍ତର୍ପଣରେ ରଖିଦେଇ ସବୁ ଅଭିମାନକୁ
ଭିତରେ,
ଆଗ ଆଉ ପଛର
ମଲାଟ ହୋଇ ଯିବା ଆମେ ଦୁହେଁ,
ଚାଲ ।
Comments are closed.