ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପାଇଲେ ‘ନବଗୁଞ୍ଜର ସମ୍ମାନ’
ନବଗୁଞ୍ଜର ସଂସ୍କୃତି ମଞ୍ଚର ସାରସ୍ବତ ବନ୍ଧୁମିଳନ ଓ ସମ୍ମାନ ସମାରୋହ
ଭୁବନେଶ୍ୱର : ‘ନବଗୁଞ୍ଜର ସଂସ୍କୃତି ମଞ୍ଚ’ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଏକ ସାରସ୍ବତ ବନ୍ଧୁମିଳନ ତଥା ନବଗୁଞ୍ଜର ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କୁ ନବଗୁଞ୍ଜର ସମ୍ମାନ ପ୍ରଦାନ କରାଯାଇଛି । ପୁରସ୍କାର ସ୍ୱରୂପରେ ବେନ୍ହୁରଙ୍କୁ ଏକ ମାନଫଳକ, ଉତ୍ତରୀୟ ଏବଂ ୨୫୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।
ବିଶିଷ୍ଟ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁଙ୍କ ସ୍ୱାଗତ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ରୁ ଆରମ୍ଭ ହୋଇଥିବା ଏହି ସଭାରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସଂସ୍କୃତ ଭାଗବତରୁ ନେଇ ଓଡ଼ିଆ ଭାଗବତ ପର୍ଯ୍ୟନ୍ତ ସୁଦୀର୍ଘ ଭାଗବତୀୟ ପରମ୍ପରାର ଉନ୍ମେଷ ଓ ବିକାଶ ସମ୍ପର୍କରେ ବିଶଦ ଭାବରେ ଶ୍ରୀ ମିଶ୍ର ଆଲୋଚନା କରିଥିବା ବେଳେ ସମ୍ବର୍ଦ୍ଧିତ ଅତିଥି ପ୍ରଫେସର ଦାଶ ବେନହୁର ନିଜର ବକ୍ତବ୍ୟରେ ଓଡ଼ିଆ ଅସ୍ମିତାର ଜାଗରଣ ତଥା ଐତିହ୍ୟର ସୁରକ୍ଷା ପାଇଁ ଓଡ଼ିଶାର ଗଡ଼ଜାତ ଅଞ୍ଚଳମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଏବଂ ଶାନ୍ତନୁ ରଥ ନିଜର ସମାପନୀ ବକ୍ତବ୍ୟରେ ସଭାରେ ଆଲୋଚିତ ତାତ୍ତ୍ବିକ ଚର୍ଚ୍ଚାର ସାରାଂଶ ଉପସ୍ଥାପିତ କହିଥିଲେ।
ଏହି ସାରସ୍ୱତ ସଭାରେ ନବଗୁଞ୍ଜର ଅନୁଷ୍ଠାନର ସଭାପତି ଉମାକାନ୍ତ ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରି ଅନୁଷ୍ଠାନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିବା ବେଳେ କାର୍ଯ୍ୟକ୍ରମଟି ସଂଯୋଜକ, ବିଶିଷ୍ଟ ସଂସ୍କୃତି ଗବେଷକ ଶାନ୍ତନୁ କୁମାର ରଥ ଅତିଥି ପରିଚୟ ପ୍ରଦାନ କରିବା ସହ ଏକ ସାଂସ୍କୃତିକ ମଞ୍ଚ ଭାବରେ ନବଗୁଞ୍ଜର ଅନୁଷ୍ଠାନର ଭୂମିକା ସମ୍ପର୍କରେ କହିଥିଲେ।ପରିଶେଷରେ ନିହାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.