Latest Odisha News

BREAKING NEWS

ଝାରସୁଗୁଡା ହସ୍ପିଟାଲରେ ମୃତବ୍ୟକ୍ତିଙ୍କୁ ସାଲାଇନ୍ ଲଗାଇବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ରେ ଜଣେ ମୃତ ବ୍ୟକ୍ତିଙ୍କୁ ସାଲାଇନ୍ ଓ ଇଞ୍ଜେକସନ୍ ଦେବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।

ଏପରିକି ଏହି ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁବାର ଦିନ ଭାରପ୍ରାପ୍ତ ସିଡିଏମଓ ଡା. ଦୋଳମଣି ପଟେଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାର ଲାଇକେରା ବ୍ଲକ୍ ଅନ୍ତର୍ଗତ ଜଲିବାହାଲ ଗ୍ରାମର କ୍ଷେତ୍ରମଣି କିସାନ କୌଣସି କାରଣବଶତଃ କିଟନାଶକ ଖାଇଦେଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାୟ ୧ ଘଣ୍ଟା ଯାଏଁ କେହିବି ତାଙ୍କର ଚିକିତ୍ସା କରିନଥିଲେ ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଆହୁରି ମଧ୍ୟ ପରେ ଜଣେ ନର୍ସ ଆସି ମୃତଦେହରେ ସାଲାଇନ୍ ଓ ଇଞ୍ଜେକସନ୍ ଲଗାଇଥିଲେ । କ୍ଷେତ୍ରମଣୀଙ୍କୁ କାହିଁକି ସାଲାଇନ୍ ଓ ଇଞ୍ଜେକସନ୍ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ମୃତକଙ୍କ ଭାଇ । ଅପରପକ୍ଷରେ କେହି ଜଣେ ବ୍ୟକ୍ତି ଉକ୍ତ ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଛାଡି ଦେଇଥିଲେ ।

ତେବେ ଖୁବଶୀଘ୍ର ଏନେଇ ରିପୋର୍ଟ ପ୍ରଦାନ କରାଯିବ ବୋଲି ସିଡିଏମଓ କହିଛନ୍ତି ।

Comments are closed.