ଭୁବନେଶ୍ୱର:ବାରିପଦା ଏବଂ ବାଲେଶ୍ୱରରେ ସୋମବାର ସକାଳେ ହଠାତ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା । ପ୍ରଚଣ୍ଡ ଶବ୍ଦ ଯୋଗୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳ ଥରିଗଲା । ଭୟରେ ଲୋକେ ଘରୁ ବାହାରି ଆସିଥିଲେ । କ’ଣ ହେଲା କେହି କିଛି ବୁଝି ପାରି ନ ଥିଲେ । ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଶବ୍ଦ ଏତେ ଜୋରରେ ହୋଇଥିଲା ଯେ, ଘରର କବାଟ ଓ ଝରକା ଥରି ଉଠିଥିଲା ।
ଏ ଶବ୍ଦ କେଉଁଠୁ ହେଲା ଏବଂ କାହିଁକି ହେଲା ସେ ନେଇ କିଛି ସ୍ପଷ୍ଟ ଜଣା ପଡିନାହିଁ । ଜିଲ୍ଲା ପ୍ରଶାସନ ଘଟଣାର ଛାନଭିନ କରୁଛି । ତେବେ କୌଣସି ସ୍ଥାନରେ ବିସ୍ଫୋରଣ ଯୋଗୁ ଏପରି ଶବ୍ଦ ହୋଇଥିବା ଅନୁମାନ କରାଯାଉଛି।
ବାଲେଶ୍ୱରବାସୀ ଅନୁମାନ କରୁଛନ୍ତି, ଆଇଟିଆରରେ କୌଣସି ମିସାଇଲ ଟେଷ୍ଟ ହେଉଥିବାରୁ ଏପରି ଏହି ଶବ୍ଦ ଶୁଣିବାକୁ ମିଳିଛି ।
ଏଠି ମନେ ପକାଇ ଦେବାକୁ ଚାହିଁବୁ, ଗତବର୍ଷ ନଭେମ୍ବର ୨୩ ତାରିଖରେ ଏପରି ଏକ ଭୟଙ୍କର ଶବ୍ଦ ଯାଜପୁର, ଭଦ୍ରକ ଏବଂ କେନ୍ଦୁଝରରେ ଶୁଣିବାକୁ ମିଳିଥିଲା । ସେହିପରି ୨୦୨୦ରେ ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ମଧ୍ୟ ଏହିପରି ଶବ୍ଦ ଶୁଣିବାକୁ ମିଳିଥିଲା ।
Comments are closed.