କଟକ: ଖୋର୍ଦ୍ଧା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି। କଟକ ଏସସିବିରେ ଚିକିତ୍ସାଧୀନ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି।
ଅନ୍ୟ ମୃତକମାନେ ହେଲେ ବୃନ୍ଦାବନ ସାହୁ, ବ୍ରଜ ବେହେରା, ସହଦେବ ବେହେରା ଏବଂ ତାଙ୍କ ୨୫ ବର୍ଷିୟ ପୁଅ ନିରଞ୍ଜନ ବେହେରା । ନିରଞ୍ଜନଙ୍କୁ ଛାଡ଼ି ଅନ୍ୟ ୩ ଜଣଙ୍କ ବୟସ ପ୍ରାୟ ୫୫ ବର୍ଷ ଭିତରେ। ବାପ, ପୁଅ ଭୁଷଣ୍ଡପୁରର ହୋଇଥିବା ବେଳେ ଅନ୍ୟମାନେ ନିରାକାରପୁର ଏବଂ କଣାସ ଅଞ୍ଚଳର ବୋଲି ଜଣାପଡ଼ିଛି।
ଦୋଳ ଉତ୍ସବ ପୂର୍ବରୁ ଘର ଭିତରେ ବାଣ ତିଆରି କରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ବୋମା ବିସ୍ଫୋରଣର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ତେବେ ଏହି ବାଣ ତିଆରି ସମ୍ପୂର୍ଣ୍ଣ ଭାବେ ବେଆଇନ ଥିଲା ବୋଲି ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଯାଇ ପ୍ରଶାସନିକ ଅଧିକାରୀ ଅନୁଧ୍ୟାନ କରିବା ପରେ କହିଛି।
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଚାରି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିସ୍ଫୋରଣରେ ଯେଉଁ ଘରେ ବାଣ ତିଆରି ହେଉଥିଲା ସେହି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ସକାଳ ପ୍ରାୟ ୧୦ଟା ୪୫ ମିନିଟରେ ଦୁର୍ଘଟଣା ସମ୍ପର୍କରେ ଖବର ପାଇଥିଲୁ । ଏବଂ ତୁରନ୍ତ ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ ଏବଂ ରାଜସ୍ୱ ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। ଏବେ ଆହତମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
ସେହିପରି ବାଣ ତିଆରି ପାଇଁ ଯେଉଁଠୁ କଞ୍ଚାମାଲ ଆଣୁଥିଲେ ଏବଂ ସେମାନେ ଘରେ କାହିଁକି ବାଣ ତିଆରି କରୁଥିଲେ ତାହା ଜାଣିବା ପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
Comments are closed.