Latest Odisha News

BREAKING NEWS

ଦେବବ୍ରତ ବେହେରାଙ୍କୁ ମିଳିଲା ସିଲଜୋରା-କାଲିମାଟି ଲୁହାପଥର, ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ଓଡ଼ିଶାର ଖଣିମାଲିକ ଦେବବ୍ରତ ବେହେରା କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିଲଜୋରା-କାଲିମାଟି ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ହସ୍ତଗତ କରିଛନ୍ତି । ସେ ଗୁରୁବାର ଦିନ ୧୫୪ ପ୍ରିମିୟମ୍ ପ୍ରତିଶତ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରି ଏହି ଖଣି ପାଇବାକୁ ସକ୍ଷମ ହୋଇଛନ୍ତି ।

ସମ୍ପ୍ରତି ଓଡ଼ିଶାରେ ଥିବା ସମସ୍ତ ଖଣି ଆବଣ୍ଟନ ପ୍ରକ୍ରିଆ ଏବେ ଚାଲିଥିବା ବେଳେ ଏହି ସିଲଜୋରା-କାଲିମାଟି ଲୁହାପଥର ଓ ମାଙ୍ଗାନିଜ୍ ଖଣିଟି ସବୁଠୁ ଅଧିକ ପ୍ରିମିୟମରେ ନିଲାମ ହୋଇଥିବାର ସୂଚନା ମିଳିଛି ।

ଏହି ଖଣି ଲାଗି ଅନୁଷ୍ଠିତ ହୋଇଥିବା ନିଲାମ ପ୍ରକ୍ରିୟାରେ ଅନ୍ୟ ୧୦ଟି ଖଣି କମ୍ପାନୀଗୁଡ଼ିକ ଅଂଶଗ୍ରହଣ କରିଥିଲେ ।

ଏହି ଖଣିରେ ଆନୁମାନିକ ୦.୭୨ ମେଟ୍ରିକ୍ ଟନ୍ ଲୁହାପଥର ଏବଂ ୩.୮୪୬ ମେଟ୍ରିକ୍ ଟନ ମାଙ୍ଗାନିଜ୍ ଗଚ୍ଛିତ ରହିଥିବା ସୂଚନା ହସ୍ତଗତ ହୋଇଛି ।

ଏହାପୂର୍ବରୁ ଏମ ଏଲ୍ ରୁଙ୍ଗଟା ଅଧିନରେ ଏହି ଖଣି ଲିଜ୍ ଆକାରରେ ରହିଥିଲା ।

ଓଡ଼ିଶାର ସମୁଦାୟ ୧୯ଟି ଖଣି ମଧ୍ୟରୁ ଏହାକୁ ଲଗାଇ ଅଦ୍ୟାବଧି ୧୪ଟି ଖଣିର ଆବଣ୍ଟନ ପ୍ରକ୍ରିୟା ସମାପ୍ତ ହୋଇଛି ।

ଏହାପୂର୍ବରୁ ବୁଧବାର ଦିନ ୟାଜଦାନୀ ଇଣ୍ଟରନ୍ୟାସନାଲ (ପ୍ରା) ଲିଃ କାଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ୍ ଖଣି ୧୦୦ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିପାରିଥିଲା ।

ଏଠାରେ ସୂଚନାଯୋଗ୍ୟ, ଗତ (ଫେବୃଆରୀ ୧୧) ତାରିଖରେ ନିଲାମ ହୋଇଥିବା ସୁନ୍ଦରଗଡସ୍ଥିତ ନଦୀଡିହ ଲୁହାପଥର ଓ ମାଙ୍ଗାନିଜ ଖଣିକୁ ବିଶାଳ ଏଲପିଜି ଫୁଏଲ ପ୍ରା. ଲି. ହାତେଇଥିଲା ।

ସେହିଦିନ ପୂର୍ବରୁ ଲିଜ୍ ରଖିଥିବା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲି. କମ୍ପାନୀ ମୟୁରଭଞ୍ଜର ଗୋରୁମହିଷାଣୀ ଲୁହାପଥର ଖଣିକୁ ପ୍ରାୟ ୧୧୫ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିପାରିଥିଲା।

ଗତ (ଫେବୃଆରୀ ୯) ତାରିଖରେ ଗୋଆର ଫର୍ମେଣ୍ଟୋ ଇଣ୍ଟଷ୍ଟ୍ରିଜ୍ ପ୍ରାଇଭେଟ୍ ଲିଃ କମ୍ପାନୀ ୧୪୧.୨୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାର ନିଷ୍ପତ୍ତି ଗ୍ରହଣ କରି ଏହି ଖଣିକୁ ହସ୍ତଗତ କରିପାରିଛି ।

ଶନିବାର ଦିନ (ଫେବୃଆରୀ ୮) ନିଲାମ ହୋଇଥିବା ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ ହସ୍ତଗତ କରିଥିଲା । ଏହି ଖଣିକୁ ୯୨.୭୦ ପ୍ରତିଶତ ପ୍ରିମିୟମରେ ଏହି କମ୍ପାନୀ କରାୟତ କରିପାରିଛି ।

ସେହିପରି ଭାବେ ଶୁକ୍ରବାର ଦିନ (ଫେବୃଆରୀ ୪) କୋଲକାତାର ଖଟୁଆ ନର୍ଭେରାମ ଏଣ୍ଡ କମ୍ପାନୀ ରଇଡ଼ା ୨ ଲୁହାପଥର ଖଣି ହାସଲ କରିପାରିଛି । ଏହାକୁ ୯୦.୯୦ ପ୍ରତିଶତ ବିକ୍ରିମୂଲ୍ୟରେ ହାସଲ କରିପାରିଛି ।

ଜେସିଡବ୍ଲ୍ୟ ୪ ବ୍ଲକ୍‌- ନୂଆଗାଁ (ଜାନୁଆରୀ ୩୧), ନାରାୟଣପୋଷୀ (ଫେବୃଆରୀ ୨) ଓ ଗଣୁଆ (ଫେବୃଆରୀ ୫) ଓ ଯଜାଙ୍ଗ (ଜାନୁଆରୀ ୬)ଖଣି ଅକ୍ତିଆର କରିଛି । ଯେଉଁଥିରେ ୧,୧୩୮.୩୪ ମିଲିୟନ୍ ଟନର ଖଣିଜ ପଥର ଗଚ୍ଛିତ ରହିଛି ।

ଶ୍ୟାମ ଓର୍ ମଧ୍ୟ ବୁଧବାର ଦିନ (ଫେବୃଆରୀ ୫) ଦିନ ଓଡିଶା ସରକାରଙ୍କୁ ୧୩୫ ପ୍ରତିଶତ ବିକ୍ରି ମୂଲ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଯାହାଫଳରେ ସେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି ବ୍ଲକ୍ ନେବାକୁ ସକ୍ଷମ ହୋଇଛି ।

ଫେବୃଆରୀ ୪ ତାରିଖ ଦିନ ସିରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ବଲଦା ଲୁହାପଥର ଖଣିକୁ ଅକ୍ତିଆର କରିଥିବା ବେଳେ ଗତ ଫେବୃଆରୀ ୩ ତାରିଖ ଦିନ ଆରସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍ ଲି. ଠାକୁରାଣୀ ଲୁହାପଥର ଖଣି ବ୍ଲକ ହାତେଇଥିଲା ।

Leave A Reply

Your email address will not be published.